ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ମାଟିରେ ଯଥୋଚିତ ସମ୍ମାନ ଓ ସ୍ୱାଗତ କରିବା ସହ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି । ଆଜି ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆସନ୍ତାକାଲିଠୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର । ଏକ ସୁନ୍ଦର ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟୁଇନସିଟିକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ଉତ୍ସବ ମୁଖର କରାଯାଇଛି ।
ତେଣୁ ଏହି ଅବସରରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରନ୍ତୁ ଓ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ନିବେଦନ କରୁଛି । ଆସନ୍ତୁ ସମସ୍ତେ ମିଶି ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା ଓ ପ୍ରବାସୀମାନେ ଯେପରି ନିଜ ଜନ୍ମମାଟିରେ ଅଛନ୍ତି, ସେଭଳି ଅନୁଭବ ସେମାନଙ୍କୁ ଦେବା । ଆଉ ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି ସେମାନେ ଯେପରି ପାଇବେ ସେ ଦିଗରେ ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
ଏପଟେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି ଯେ, ଯୁବ ସମାବେଶରୁ ୩ଦିନିଆ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆରମ୍ଭ ହେବ । ଭାରତ ସରକାରଙ୍କ ପୂର୍ବୋଦୟ ବିକାଶ ଯୋଜନା ଅନୁସାରେ ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୧୮ତମ ସଂସ୍କରଣ ଆୟୋଜନ କରାଯାଇଛି । ଐତିହାସିକ,ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଓଡ଼ିଶାରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ ସମାରୋହ । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବାସୀମାନଙ୍କ ସହ ଘରୋଇ ହୋଟେଲରେ ଆଲୋଚନା ହେବ । ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ କେନ୍ଦ୍ର ଯୁବବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟ ଦିବସ ସମାରୋହରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ହୋଇଛି । ଏହାସହିତ ବିଭିନ୍ନ ପ୍ଲେନାରି ସେସନରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ପ୍ରବାସୀମାନଙ୍କ ସହ ଆଲୋଚନା କରିବେ । ପ୍ରବାସୀ ଭାରତୀୟମାନଙ୍କୁ ପୁରୀ, କଟକ, ଭୁବନେଶ୍ୱର, ଯାଜପୁରର ପ୍ରାୟ ୩୦ରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ବୁଲାଇ ନେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।
ନୂଆ ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତାମୂଳକ ନିର୍ଦ୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।