Cultural Programme
ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତଟ ରେଲୱେ ମହା ପରିଚାଳକ ମନୋଜ ଶର୍ମା, ବିଶିଷ୍ଟ ଗାୟକ ତଥା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ପାରାଦୀପ ଫସଫେଟ୍ ଲିମିଟେଡ୍ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଥକ ନୃତ୍ୟାଙ୍ଗନା ଶିଲା ମେହେଟ୍ଟା ନିଜ ନୃତ୍ୟ ନିପୁଣତାରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ଶରୀରର ପ୍ରତ୍ୟେକ ଗତିବିଧି, ଅଙ୍ଗଭଙ୍ଗୀ, ଭାବପ୍ରବଣ ପଦକ୍ଷେପ, ତାଳର ଲହରୀ ଏବଂ ସଙ୍ଗୀତର ସ୍ୱର ସହିତ ପାଦଚାଳନା ଯାହା ତାଙ୍କର ନୃତ୍ୟକୁ ଅଧିକ ଚମତ୍କାର ଏବଂ ଆକର୍ଷଣୀୟ କରିଥିଲା । ତାଙ୍କୁ ତବଲାରେ ବିବେକ ମିଶ୍ର ଓ ଅମିତାଂଶୁ କୁମାର ବ୍ରହ୍ମା, ସରୋଦରେ ସୁନାଦୋ ମୁଖାର୍ଜୀ ଏବଂ କଣ୍ଠରେ ଜୟଦ୍ୱୀପ ସିହ୍ନା ସହଯୋଗ କରିଥିଲେ ।
ଏହି ଅବସରରେ ଜୟତୀର୍ଥ ମେଭୁଣ୍ଡୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସେ ଶ୍ରୀକୃଷ୍ଣଙ୍କ ଉପରେ ବିଭିନ୍ନ ଭଜନ ପରିବେଷଣ କରିଥିଲେ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ଉପସ୍ଥିତ ଶ୍ରୋତାଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ ।
ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଶ୍ରୀ ଦେବୀପ୍ରସାଦ ମିଶ୍ର ଏହାର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us