ବର୍ଷତମାମ ପାଳନ ହେବ ବିର୍ସା ମୁଣ୍ଡା ଜୟନ୍ତୀ, ନଭେମ୍ବର ୧୫ରେ ରାଉରକେଲାରେ ଉଦଘାଟନୀ ଉତ୍ସବ

ରାଉରକେଲାରେ ଉଦଘାଟନୀ ଉତ୍ସବରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ମାନିତ କରାଯିବ ।

Birsa Munda

  • Published: Tuesday, 08 October 2024
  • , Updated: 08 October 2024, 10:54 PM IST

ରାଜ୍ୟ ସରକାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ବର୍ଷତମାମ ପାଳନ କରିବେ । ନଭେମ୍ବର ୧୫ରେ ରାଉରକେଲାରେ ଏହି ଜୟନ୍ତୀ ସମାରୋହର ଉଦଘାଟନ ହେବ । ୨୦୨୫ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଏହି ଜୟନ୍ତୀ ସମାରୋହ ପାଳିତ ହେବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, କେନ୍ଦ୍ରୀୟସ୍ତରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ୨୦୨୧ରୁ ଜନଜାତୀୟ ଗୌରବ ଦିବସ ଭାବେ ପାଳିତ ହୋଇ ଆସୁଛି । ତେବେ ରାଜ୍ୟ ସରକାର ଚଳିତବର୍ଷ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ସମାରୋହକୁ ୨୦୨୪ ନଭେମ୍ବର ୧୫ରୁ ୨୦୨୫ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ପାଳନ କରିବେ । ଆଦିବାସୀ କଳା ସଂସ୍କୃତି, ଐତିହ୍ୟ, ଇତିହାସର ପ୍ରଚାର ପ୍ରସାର, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହ ସେମାନଙ୍କର ଜୀବିକାର ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ।

ରାଉରକେଲାରେ ଉଦଘାଟନୀ ଉତ୍ସବରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ ସହିତ ସଫଳ ଆଦିବାସୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଜଙ୍ଗଲ ଅଧିକାର ଆଇନ ୱେବପୋର୍ଟାଲ ଶୁଭାରମ୍ଭ କରାଯାଇ ପଟ୍ଟା ଆବଂଟନ କରାଯିବ । ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେବ । ବର୍ଷେ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ କାର୍ଯ୍ୟକ୍ରମ, ସିକିଲ ସେଲ୍ ରୋଗ ସମ୍ପର୍କରେ ସଚେତନତା, ଆଦିବାସୀଙ୍କ ପାରମ୍ପରିକ ସ୍ୱାସ୍ଥ୍ୟସେବା ଜ୍ଞାନର ପ୍ରଚାର ଆଦି ପାଇଁ ସମ୍ମିଳନୀ ଆୟୋଜନ କରାଯିବ ।

ରାଜଧାନୀ ଭୁବନେଶ୍ୱର ସମେତ ଜିଲ୍ଲାସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଚଳିତବର୍ଷ ଭୁବନେଶ୍ୱରରେ ଆଦିବାସୀ ମେଳାକୁ ବ୍ୟାପକ ଆକାରରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଆଜିର ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story