ଲାଜକୁଳି ‘ସୁବର୍ଣ୍ଣଝରୀ’! କୁଳୁକୁଳୁ ନାଦ କରି ପର୍ବତମାଳାର ଶିଖରରୁ ବୋହି ଯାଉଛି। ଆଉ ବିଛେଇ ହୋଇ ପଡୁଛି ପଥରର ଶକ୍ତ ଚଟାଣରେ। ପାଣି ତଳେ ପଡ଼ିବା ପରେ ଧୂଆଁର ଭ୍ରମ ସୃଷ୍ଟି କରୁଛି। ଆଉ ସେଥିରେ ସୂର୍ଯ୍ୟକିରଣ ପଡ଼ିବା ପରେ ସୁନେଲୀ ରଙ୍ଗରେ ରଙ୍ଗାୟିତ ହେଉଛି ଶିମିଳିପାଳର କୋଳ। ସତେ ଯେମିତି ଇନ୍ଦ୍ରଧନୁର ଚାଦରରେ ଘୋଡେଇ ହୋଇ ଯାଉଛି ଶିମିଳିପାଳ। ପ୍ରକୃତିର ଏହି ଅପୂର୍ବ ରୂପ ଦେଖିବା ପାଇଁ ପର୍ଯ୍ୟଟକଙ୍କର ମଧ୍ୟରେ ଉତ୍ସୁକତା ବଢ଼ୁଛି। ହେଲେ ଦୁର୍ଭାଗ୍ୟ ବିଷୟ, ‘ସୁବର୍ଣ୍ଣଝରୀ’ର ସେହି ପ୍ରକୃତି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସେଠାକୁ ଯିବାକୁ କୌଣସି ବ୍ୟବସ୍ଥା ନାହିଁ।
ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ୨୭୫୦ କିମି ପରିବ୍ୟାପ୍ତ ଏହି ଅଭୟରଣ୍ୟରେ ରହିଛି ବରେହୀପାନି, ଯୋରନ୍ଦା ପରି ଅନେକ ୱାଟର ଫଲ୍। ତେବେ ଏହି ଘଞ୍ଚ ଅଭୟାରଣ୍ୟ ଭିତରେ ଏବେ ଠାବ ହୋଇଛି ସୁବର୍ଣ୍ଣଝରୀ ୱାଟର ଫଲ୍। ପର୍ବତମାଳାର ଶିଖରରୁ ୬ ଝରଣା କୁଳୁକୁଳ ନାଦ କରି ପଥର ଛନ୍ଦି ଭିତରେ ବୋହି ଯାଉଛି। ସେଥିରୁ ୪ଟି ଝରଣା ଦେଖା ଯାଉଥିବା ବେଳେ ଅନ୍ୟ ଦୁଇଟି ଦୃଶ୍ୟମାନ ହେଉନାହିଁ। ପ୍ରାୟ୧୧୦୦ ଫୁଟ ଉଚ୍ଚରୁ ପାଣି ଖସୁଥିବା ଏହି ୱାଟର ଫଲ୍ ଉଚ୍ଚତମ ବୋଲି ଶିମିଳିପାଳ ଅଭୟାରଣ୍ୟ ଉପରେ କାମ କରୁଥିବା ‘ମୟୂରଭଞ୍ଜ ମିରର’ ନାମକ ଏକ ସଂସ୍ଥା ଦାବି କରିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଏହି ୱାଟର ଫଲ୍ ନାଁ କାହିଁକି ସୁବର୍ଣ୍ଣଝରୀ ରଖାଯାଇଛି? ପାହାଡ଼ର ଉପରୁ ଝରଣା ପାଣି ପଥର ଚଟାଣରେ ପଡ଼ିଲା ବେଳେ ଧୂଆଁର ଭ୍ରମ ସୃଷ୍ଟି କରିଥାଏ। ଆଉ ସେହି ସେଥିରେ ସୂର୍ଯ୍ୟ କିରଣ ପଡ଼ିଲେ ସୁନେଲୀ ରଙ୍ଗରେ ରଙ୍ଗାୟିତ ହୋଇଥାଏ। ଦୂରରୁ ଏହା ଇନ୍ଦ୍ରଧନୁ ସୃଷ୍ଟି ହେଲା ପରି ଦୃଶ୍ୟମାନ ହୋଇଥାଏ। ସତେ ଯେମିତି ୭ଟି ରଙ୍ଗରେ ଶିମିଳିପାଳର ପର୍ବତମାଳାକୁ ପ୍ରକୃତି ଘୋଡ଼ାଇ ରଖିଛି। ତେଣୁ ଏହାର ନାଁ ସୁବର୍ଣ୍ଣଝରୀ ରଖାଯାଇଥିବା କୁହାଯାଉଛି। ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରମ। ଥରେ ମନ ଲାଖିଗଲେ ବାରମ୍ୱାର ଯିବାକୁ ମନ କହିଥାଏ।
ଶିମିଳିପାଳର ଶୋଭା ବର୍ଦ୍ଧନ କରୁଥିବା ଏହି ସୁବର୍ଣ୍ଣଝରୀ ଜଳ ପ୍ରପାତ ପାଖକୁ ଯିବା ଏତେ ସହଜ ନୁହେଁ। ମୟୂରଭଞ୍ଜ ସଦର ମହକୁମା ବାରିପଦାରୁ ଉଦଳା ଆଡକୁ ଗଲେ ପଡ଼ିବ ଡୁକୁରା। ସେଠାରୁ ୨୦ କିମି ଗଲେ ପଡ଼ିବ ସୁବର୍ଣ୍ଣମଞ୍ଜରୀ ଗାଁ। ଏହି ଗାଁ ପର୍ଯ୍ୟନ୍ତ ଯିବା ପାଇଁ ଭଲ ରାସ୍ତା ଅଛି। ହେଲେ ସୁବର୍ଣ୍ଣଝରୀ ଜଳ ପ୍ରପାତ ପାଖକୁ ଯିବାକୁ ହେଲେ ବହୁ କଷ୍ଟ କରିବାକୁ ପଡ଼ିବ। ପାହାଡ଼ିଆ ରାସ୍ତା। ଘଞ୍ଚ ଜଙ୍ଗଲ। ଲତା ମାଳ ଭିତରେ ପାହାଡ଼ ଚଢ଼ି ଆଗକୁ ବଢ଼ିବାକୁ ପଡ଼ିବ। ପ୍ରାୟ ୮ କିମି ଦୁର୍ଗମ ରାସ୍ତାରେ ଚାଲିଚାଲି ଗଲେ ପଡ଼ିବ ସୁବର୍ଣ୍ଣଝରୀ ଜଳ ପ୍ରପାତ।
ବରେହୀପାନି, ଯୋରନ୍ଦା ପରି ସୁବର୍ଣ୍ଣଝରୀ ଜଳ ପ୍ରପାତର ବିକାଶ କରାଗଲେ ଶିମିଳିପାଳର ଗୌରବ ଆହୁରି ବଢ଼ିବ। ଦେଶ ବିଦେଶର ପର୍ଯ୍ୟଟକ ସେଠାକୁ ଯିବେ। ଆଉ ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣଝରୀ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିବ। ଆଗକୁ ବିଶ୍ୱ ପର୍ଯ୍ୟଟନ ଦିବସ ଆସୁଥିବାରୁ ଏହାର ବିକାଶ କରିବା ପାଇଁ ସାଧାରଣରେ ଦାବି ହେଉଛି। କଷ୍ଟସାଧ୍ୟ ହେଲେ ମଧ୍ୟ ସୁବର୍ଣ୍ଣଝରୀ ଜଳ ପ୍ରପାତ ପର୍ଯ୍ୟନ୍ତ ରାସ୍ତା କରିବା ପାଇଁ ପ୍ରକୃତି ପ୍ରେମି ମତପ୍ରକାଶ କରିଛନ୍ତି।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଶିମିଳିପାଳ ଅଭୟାରଣ୍ୟକୁ ୨୦୦୯ ମସିହାରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଖାଲି ସେତିକି ନୁହେଁ, ଟାଇମ୍ସ ମ୍ୟାଗାଜିନରେ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ସ୍ଥାନ ପାଇଥିଲା ଶିମିଳିପାଳ ଅଭୟାରଣ୍ୟ।