Advertisment

ପ୍ରଧାନମନ୍ତ୍ରୀଙ୍କ ପାଖକୁ ରାକ୍ଷୀ ପଠାଇଲେ କମଳା ମାଉସୀ

କମଳା ମାଉସୀଙ୍କ ଏହି କାରନାମା କେନ୍ଦ୍ରାପଡ଼ାରୁ ଯାଇ ଦିଲ୍ଲୀରେ ପହଞ୍ଚିଥିଲା। ଆଉ ତାଙ୍କ କାମରେ ପ୍ରଭାବିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ଗତ ୨୬ ତାରିଖରେ ୨୫ ତମ ମନ୍‌ କି ବାତ୍ କାର୍ଯ୍ୟକ୍ରମରେ କମଳା ମାଉସୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

Kamala

Kamala

Advertisment

ଅଳିଆ ଆବର୍ଜନାରୁ ଜରି ଗୋଟାଇ ରାକ୍ଷୀ ତିଆରି କରିଛନ୍ତି। ସେହି ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇଛନ୍ତି କମଳା ମହାରଣା। ଭଉଣୀ ହିସାବରେ ସେ ଭାଇ ପାଖକୁ ରାକ୍ଷୀ ପଠାଇଛନ୍ତି। ଏଥିସହ ଭାଇ(ପ୍ରଧାନମନ୍ତ୍ରୀ)ଙ୍କ ମଙ୍ଗଳ କାମନା ମଧ୍ୟ କରିଛନ୍ତି କମଳା ମାଉସୀ।

Advertisment

କେନ୍ଦ୍ରାପଡ଼ା ଖଇରାବାଦ ଗାଁର କମଳା ମହାରଣା। ବୟସ ୬୦ ବର୍ଷରୁ ଅଧିକ ହେବ। ଏ ବୟସରେ କୌଣସି କାମ ନକରି ଘରେ ବସିଥିଲେ। ହେଲେ ତାଙ୍କ ହାତଗୋଡ଼ ଥୟ ଧରୁନଥିଲା। କିଛି କୋଟିଏ କ’ଣ କରିବେ, ସେହି ଚିନ୍ତାରେ ପଡ଼ି ଯାଇଥିଲେ କମଳା ମାଉସୀ। ସେଥିପାଇଁ ସେ ପଲିଥିନ୍‌କୁ ଗୋଟାଇ କିଛି କରିବା ପାଇଁ ଚିନ୍ତା କରିଥିଲେ। ଆଉ ତା’ପରେ କମଳା ମାଉସୀଙ୍କୁ କାମ ମିଳି ଯାଇଥିଲା। 

ପରିବେଶକୁ ନଷ୍ଟ କରୁଥିବା ଏଣେ ତେଣେ ପଡ଼ିଥିବା ପଲିଥିନକୁ ସଂଗ୍ରହ କରିବାରେ ଲାଗି ପଡ଼ିଲେ କମଳା ମାଉସୀ। ପରେ ସେହି ସବୁ ପଲିଥିନ୍‌କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ତା’ପରେ ସେ ସବୁ ପଲିଥିନକୁ ସରୁ ସରୁ କାଟି ସେଥିରେ ବିଭିନ୍ନ ସାମଗ୍ରୀ ବୁଣିବା ଆରମ୍ଭ କରିଥିଲେ। ପଲିଥିନ୍‌କୁ ବ୍ୟବହାର କରି ସେ ପେଡ଼ି, ପାଛିଆ, ଡାଲା, ବିଞ୍ଚଣା, ବଡି ଓ ପାମ୍ପଡ ସୁଖାଇବା ପାଇଁ ଝାମ୍ପି, ମନିପର୍ସ, ପାପୋଚ୍ଛ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଯାହାର ଚାହିଦା ଭଲ ରହିଛି। ପରିବେଶକୁ ବଞ୍ଚାଇବା ସହିତ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି କମଳା ମାଉସୀ। 

Advertisment

କମଳା ମାଉସୀଙ୍କ ଏହି କାରନାମା କେନ୍ଦ୍ରାପଡ଼ାରୁ ଯାଇ ଦିଲ୍ଲୀରେ ପହଞ୍ଚିଥିଲା। ଆଉ ତାଙ୍କ କାମରେ ପ୍ରଭାବିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ଗତ ୨୬ ତାରିଖରେ ୨୫ ତମ ମନ୍‌ କି ବାତ୍ କାର୍ଯ୍ୟକ୍ରମରେ କମଳା ମାଉସୀଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ ମୋଦି। ସେହିଦିନ ଠୁଁ ସବୁଆଡେ ପ୍ରଶଂସାର ପାତ୍ର ହୋଇଛନ୍ତି କମଳା। ସେଥିପାଇଁ ଚଳିତବର୍ଷ ରକ୍ଷା ବନ୍ଧନରେ ନିଜ ଭାଇ(ନରେନ୍ଦ୍ର ମୋଦି) ପାଇଁ ଅଳିଆ ଆବର୍ଜନାରୁ ଜରି ଗୋଟାଇ ଗୋଟିଏ ରାକ୍ଷୀ ତିଆରି କରିଛନ୍ତି। ସେହି ରାକ୍ଷୀକୁ ପୋଷ୍ଟାଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି।

କମଳା ମହାରଣା କହିଛନ୍ତି, ଅଳିଆ ଆବର୍ଜନାରୁ ଜରି ଗୋଟାଇ ଗୋଟିଏ ରାକ୍ଷୀ ତିଆରି କରିଛି। ଶ୍ରଦ୍ଧା ଓ ସ୍ନେହରେ ରାକ୍ଷୀଟିକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛି। ମୋ’ ରାକ୍ଷୀକୁ ହାତରେ ବାନ୍ଧିବେ ମୁଁ ବହୁତ ଖୁସି ହେବି। ମୁଁ ତାଙ୍କର ମଙ୍ଗଳକାମନା କରୁଛି ବୋଲି କମଳା କହିଛନ୍ତି।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

PM Modi Kendrapara Rakhi Purnima 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe