puri
ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ। ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ।
କର୍ଣ୍ଣ ଦେଶରେ କୁଣ୍ଡଳ, କଟିତଟରେ ଓଡିଆଣୀ,ମସ୍ତକରେ ତଡଗୀ, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି। ଏତଦ୍ ବ୍ୟତୀତ ଶ୍ରୀବିଗ୍ରହମାନେ ବିଭିନ୍ନ ପୁଷ୍କ ଅଳଙ୍କାର, ବାରଳାଗି ପାଟ ଶାଢ଼ି, ଫୁଟା, ଶିରକପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାଏ।
ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରିବା ସହ କିଛି ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ଏହି ମନଲୋଭା ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିର ରେ ପ୍ରବଳ ଜନସମାଗମ ହୋଇଛି।
କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିରରେ ଗତକାଲି ଠାରୁ କାର୍ତ୍ତିକ ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ, ପଞ୍ଚୁକ ବେଶ,ବାଳଧୂପ, ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/puri_1728963204.jpg)