Representative Image
ଆଜି ପ୍ରବାସୀ ଭାରତୀୟ ଦିବସ। ପ୍ରତିବର୍ଷ ଜାନୁଆରୀ ୯ରେ ଏହି ଦିବସ ପାଳନ କରାଯାଏ। ବିଦେଶରେ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ହୁଏ। ତେବେ ଏପରି ଏକ ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ କ’ଣ ରହିଛି ଏବଂ କାହିଁକି ପାଳନ କରାଯାଏ, ଜାଣନ୍ତୁ ଏହି ଆଲେଖ୍ୟରୁ...
କାହିଁକି ପାଳନ କରାଯାଏ ପ୍ରବାସୀ ଭାରତୀୟ ଦିବସ?
୧୯୧୫ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବା ସହ ପ୍ରବାସୀ ଭାରତୀୟ ଦିବସ ପାଳନର ସଂଯୋଗ ରହିଛି। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ପ୍ରଥମେ 'ବର୍ଣ୍ଣ ବୈଷ୍ଣମ୍ୟ' ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ବିଦେଶୀଙ୍କ ମନରେ ଥିବା କଳା-ଗୋରା ଭେଦଭାବ ବିରୁଦ୍ଧରେ ଭାରତୀୟଙ୍କୁ ଏକଜୁଟ କରାଇଥିଲେ ଗାନ୍ଧିଜୀ। ଏହାପରେ ସେ ୧୯୧୫ରେ ଭାରତ ଫେରି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।
ଏବେ ମଧ୍ୟ ବିଦେଶରେ ଥିବା ଅନେକ ଭାରତୀୟ, ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଦେଶର ପରିଚୟକୁ ଆଗକୁ ବଢ଼ାଉଛନ୍ତି। ସେମାନଙ୍କୁ ସମ୍ମାନ ଜଣାଇବା ସହ ବିଦେଶରେ ରହୁଥିବା ପ୍ରତିଟି ଭାରତୀୟଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ।
କେବେଠୁ ପାଳନ ହେଉଛି?
୨୦୦୩ ମସିହାରୁ ଏହି ଦିବସ ପାଳନ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟର ଘୋଷଣା ପରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଛି।
ପ୍ରବାସୀ ଭାରତୀୟ ଦିବସ ପାଳନର ଉଦ୍ଦେଶ୍ୟ
ବିଦେଶରେ ରହୁଥିବା ଭାରତୀୟମାନେ କେବଳ ଦେଶ ପାଇଁ ଗୌରବ ଆଣନ୍ତି ନାହିଁ, ବରଂ ସେମାନେ ଅର୍ଥନୈତିକ ସ୍ଥିତିକୁ ମଧ୍ୟ ସହଯୋଗ କରନ୍ତି। ଦେଶକୁ ଆସୁଥିବା ବୈଦେଶିକ ମୁଦ୍ରାର ସବୁଠାରୁ ବଡ ଉତ୍ସ ହେଉଛନ୍ତି ପ୍ରବାସୀ। ରିପୋର୍ଟ ଅନୁସାରେ, ଦେଶକୁ ବିଦେଶୀ ମୁଦ୍ରା ପଠାଇବାରେ ଭାରତୀୟମାନେ ଶୀର୍ଷରେ ଅଛନ୍ତି। ଦ୍ୱିତୀୟରେ ମେକ୍ସିକୋ ଏବଂ ପରେ ଚୀନ୍ର ଲୋକମାନେ ଅଛନ୍ତି।
୨୦୨୨ରେ ଭାରତୀୟ ପ୍ରବାସୀମାନେ ଦେଶକୁ ୧୦,୦୦୦ କୋଟି ଡଲାର ପଠାଇଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଦିବସ ପାଳନ ମାଧ୍ୟମରେ ପ୍ରବାସୀ ଭାରତୀଙ୍କ ଅବଦାନକୁ ପ୍ରଶଂସିତ କରାଯାଏ।
ପ୍ରବାସୀ ଭାରତୀୟଙ୍କ ଭୂମିକା
ସାରା ବିଶ୍ୱରେ ୩ କୋଟିରୁ ଅଧିକ ଭାରତୀୟ ବସବାସ କରନ୍ତି। ୧୦୦ରୁ ଅଧିକ ଦେଶରେ ଭାରତୀୟମାନେ ଅଛନ୍ତି। ଅଧିକାଂଶ NRI ଆମେରିକାରେ ରୁହନ୍ତି, ତା'ପରେ ୟୁଏଇ, ମାଲେସିଆ, ସାଉଦି ଆରବ, ମିଆଁମାର, ବ୍ରିଟେନ ଏବଂ କାନାଡାରେ ରହୁଛନ୍ତି।
ରିପୋର୍ଟ ଅନୁସାରେ, ବିଶ୍ୱର ୫୦୦ ବୃହତ୍ତମ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଭାରତୀୟ ବଂଶଦ୍ଭୋବ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ଋଷି ସୁନକ ଭାରତୀୟ ଅଟନ୍ତି। ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଆଡୋବ ସିଇଓ ଶାନ୍ତନୁ ନାରାୟଣ, ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ଆଇବିଏମର ଅରବିନ୍ଦ କୃଷ୍ଣ ଏବଂ ମାଷ୍ଟରକାର୍ଡ ସିଇଓ ଅଜୟପାଲ ସିଂହ ମଧ୍ୟ ଭାରତୀୟ। ଏପରିକି ଟ୍ୱିଟର(ବର୍ତ୍ତମାନର ଏକ୍ସ)ର ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ସିଇଓ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
