Advertisment

କଟକ ବାଲିଯାତ୍ରା ବେଳେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ, ଆଜିଠାରୁ ୨୪ ପର୍ଯ୍ୟନ୍ତ ନିଷେଧାଦେଶ ଜାରି

ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି।

author-image
Jitendra Garnayak
Bali Yatra

Bali Yatra

କଟକ ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ। ଏ ନେଇ କଟକ ଜିଲ୍ଲାପାଳ ନିଷେଧାଦେଶ ଜାରି କରିଛନ୍ତି। ରିଂ ରୋଡ୍‌ ଜୋବ୍ରାଠାରୁ ଚହଟା, ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ରାସ୍ତାରେ ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧାଦେଶ ଜାରି କରାଯିବା ସହ ଧାରା ୧୬୩ ଲାଗୁ କରାଯାଇଛି। ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏହି ନିଷେଧାଦେଶ ଜାରି କରିଛନ୍ତି। ତେବେ ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି। ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି’ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ।

Advertisment

ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି। ମହାନଦୀ କୂଳେ କୂଳେ ଏହି କରିଡର ରହିବ। ଟ୍ରାଫିକ ପରିଚାଳନା ଓ ଆମ୍ବୁଲାନ୍ସ ଚଳାଚଳ ପାଇଁ ଏହି ଗ୍ରୀନ କରିଡର କାର୍ଯ୍ୟ କରିବ। 

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଥାଏ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସ । ଏଠାରେ ମେଲିଥାଏ ରାଜ୍ୟ ତଥା ରାଜ୍ୟ ବାହାରର ଉତ୍ପାଦିତ ସାମଗ୍ରୀର ପସରା । କୋଟି କୋଟି ଟଙ୍କାର ବେପାର ହୁଏ। ଏଥର ବାଲିଯାତ୍ରାରେ ଓରମାସ ଭିତରେ ସ୍ଥାନ ପାଇବ ୫ ଶହରୁ ଅଧିକ ଷ୍ଟଲ। ଆମ ରାଜ୍ୟ ସହ ୨୩ଟି ରାଜ୍ୟର ବ୍ୟବସାୟୀଙ୍କ ବିଭିନ୍ନ ସାମଗ୍ରୀର ଏଠି ପସରା ମେଲିବ। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ଠାରୁ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଏଠାରେ ମିଳିବ। ସେଥିପାଇଁ ଦିନରାତି ଚାଲିଛି ଷ୍ଟଲ ନିର୍ମାଣ କାର୍ଯ୍ୟ। ଗତବର୍ଷ ଓରମାସ ରେ ୩୬ କୋଟି ଟଙ୍କାର କିଣାବିକା ହୋଇଥିବା ବେଳେ ଚଳିତ ବର୍ଷ ୪୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରହିଥିବା କହିଛନ୍ତି ଓରମାସ ଯୁଗ୍ମ କାର୍ଯ୍ୟନିର୍ବାହୀ।

Advertisment
Bali Yatra