Advertisment

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପିଏମ ମୋଦି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏଥିସହ ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିବାକୁ ଭୁଲି ନାହାନ୍ତି। 

Advertisment

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ। ଓଡ଼ିଶା ମାଟିରେ ଥିବା ଧଉଳି ସ୍ତୁପ ହେଉଛି ଶାନ୍ତିର ପ୍ରତୀକ।

ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।

Advertisment

ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ବହୁ ନେତାଙ୍କ ସହ ମୋର ଭେଟ ହୋଇଛି। ସେମାନେ ନିଜ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କର ଖୁବ୍‌ ପ୍ରଶଂସା କରିଥାନ୍ତି। ଏହା ପଛରେ ରହିଛି ସାମାଜିକ ମୂଲ୍ୟବୋଧ। ଆମେ କେବଳ ଗଣତନ୍ତ୍ରର ଜନନୀ ନୁହଁ, ଏହା ଆମ ଜୀବନର ଏକ ବଡ଼ ଅଂଶବିଶେଷ। ଆମ ଜୀବନ ହିଁ ବିବିଧତାରେ ପରିପୂର୍ଣ୍ଣ।

ତେଣୁ ଭାରତୀୟ ଯେଉଁଠାକୁ ବି ଗଲେ ସେଠାକାର ସାମାଜିକ ଚଳଣି ସହ ନିଜକୁ ଖାପ ଖୁଆଇ ନେଇଥାନ୍ତି। ଉକ୍ତ ଦେଶର ପରମ୍ପରାକୁ ଆପଣାଇ ନେବା ସହ ସମ୍ମାନ ଦେଇଥାନ୍ତି। କେବଳ ଏତିକି ନୁହେଁ, ପ୍ରତି ପ୍ରବାସୀଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦନ କରୁଛି।

ତେଣୁ ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି। ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁ ଦେଶକୁ ଯାଆନ୍ତି ସେଠିକାର ପରମ୍ପରା, ସଂସ୍କୃତି ସହ ଯୋଡ଼ି ହୋଇଯାଆନ୍ତି। ମାତ୍ର ସେମାନଙ୍କ ହୃଦୟରେ ସବୁବେଳେ ଭାରତର ଛାପ ରହିଥାଏ।

ଗଣତନ୍ତ୍ର ଓ ବିବିଧତା ଆମର ଲାଇଫଲାଇନ୍। ଏକବିଂଶ ଶତାବ୍ଦୀରେ ଭାରତର ଅଦ୍ଭୂତପୂର୍ବ ବିକାଶ ହେଉଛି। ଅର୍ଥନୀତିରେ ଆମ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଖୁବଶୀଘ୍ର ଏହି ତାଲିକାରେ ଆମେ ତୃତୀୟ ସ୍ଥାନକୁ ଉନ୍ନୀତ ହେବା । ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି। ଭାରତର କଥାକୁ ଆଜି ପୂରା ବିଶ୍ୱ ଶୁଣୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରବାସୀଙ୍କ ନିମନ୍ତେ ଆମେ ଗୌରବାନ୍ୱିତ ଅନୁଭବ କରୁଥିବାରୁ ସେମାନଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ୱ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ। ସେମାନଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛୁ।

ଏହି ଅବସରରେ ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହ ପ୍ରବାସୀ ଭାରତୀୟ ଏକଜିବିସନ ବୁଲି ଦେଖିଛନ୍ତି। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ ଆୟୋଜିତ ହେବ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଅପରାହ୍ନରେ ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିବେ।

Bhubaneswar PM Modi Pravasi Bharatiya Divas