Advertisment

ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ

ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।

author-image
Debadatta Aryashrestha
Kumbh Mela 2025

Kumbh Mela 2025

ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଆଜି ଭୋରରୁ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ। ଯାହା ଭୋର ୫ଟା ୧୫ରୁ ଆରମ୍ଭ ହୋଇ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

Advertisment

ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ୱାସ। ଉଛୁଳିଛି ତୀର୍ଥରାଜ ପ୍ରୟାଗ, ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ। ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ୱତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତ ଭୋର ୫ଟା ୩ ମିନିଟରୁ ଆରମ୍ଭ ହୋଇଥିଲା ମହାବୁଡ଼। ଏଥିସହ ମହାକୁମ୍ଭ ମେଳାର ହୋଇଛି ମହା ଶୁଭାରମ୍ଭ। ରାତି ପାହିଲା ବେଳକୁ ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ସ୍ପଷ୍ଟ ବଖାଣୁଥିଲା ସଂଗମରେ ସ୍ନାନ ପାଇଁ କେମିତି ଆତୁର ଥିଲେ ଲକ୍ଷ ଲକ୍ଷ ସାଧୁ-ସନ୍ଥଙ୍କ ସହ କୋଟି କୋଟି ଶ୍ରଦ୍ଧାଳୁ। ପୁଣ୍ୟୋତ୍ୱୟା ତ୍ରିଧାରାଙ୍କ ମିଳନ ସ୍ଥଳୀରେ ବୁଡ଼ ପକାଇ ସମସ୍ତେ ହେଉଥିଲେ ଆନନ୍ଦିତ- କୃତ୍ୟ କୃତ୍ୟ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ। ମହାକୁମ୍ଭର ପ୍ରଥମ ସ୍ନାନ ଯୋଗରେ ସାମିଲ ହେବାକୁ ଏମିତି ରବିବାର ରାତିରୁ ସଂଗମ ତଟ ମୁହାଁ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।

ଏଣେ ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସର। ଦୀର୍ଘ ବର୍ଷର ବିରଳ ସଂଯୋଗରେ ତ୍ରିବେଣୀ ଘାଟରେ ସ୍ନାନ ସୁଯୋଗକୁ ହାତଛଡ଼ା ନକରିବାକୁ ଯେମିତି ସମସ୍ତେ ପଣ କରିଥିଲେ, ଉତ୍ତମ ବ୍ୟବସ୍ଥାକୁ ପ୍ରଶଂସା ବି କରୁଥିଲେ। କେବଳ ସନାତନୀ ହିନ୍ଦୁ କି ସାଧୁ-ସନ୍ଥ ନୁହଁନ୍ତି, ଆସ୍ଥାର ମହାକୁମ୍ଭରେ ସାମିଲ ହେବାକୁ ଆମେରିକା, ଫ୍ରାନ୍ସ, ରୁଷ ଓ ବ୍ରାଜିଲ ଭଳି ବିଶ୍ୱର କୋଣ ଅନୁକୋଣରୁ ବି ମୋକ୍ଷ ପ୍ରଦାୟିନୀ ସଂଗମସ୍ଥଳକୁ ଛୁଟି ଆସିଛନ୍ତି ଅନେକ ବିଦେଶୀ ଶ୍ରଦ୍ଧାଳୁ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆପଲ ଫାଉଣ୍ଡର ଷ୍ଟିଭ୍ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ୍। ସେ ଆଜି ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ।

Advertisment

ମହାକୁମ୍ଭର ପ୍ରଥମ ସ୍ନାନ ତିଥି ପୌଷ ପୂର୍ଣ୍ଣମୀରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେଣେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ହେବ ପ୍ରଥମ ସାହି ସ୍ନାନ। ଭୋର ୫ଟା ୧୫ରୁ ସକାଳ ୭ଟା ୫୫ ମିନିଟ୍ ଭିତରେ ରହିଛି ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇବେ। ତାପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିବ। ତେଣୁ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଅପେକ୍ଷା ଆହୁରି ଦୁଇଗୁଣା ହେବା ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।

ଅନ୍ୟପଟେ ୪୫ ଦିନିଆ ମହାକୁମ୍ଭର ସାକ୍ଷୀ ବନିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ। ଦୁର୍ଲଭ ମହାକୁମ୍ଭ ମହାମେଳାର ସାକ୍ଷୀ ବନିବାକୁ ଥିବା ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର। ଜଳ, ସ୍ଥଳ, ଆକାଶ ସବୁଠି ଟାଇଟ୍ ସିକ୍ୟୁରିଟି। ପ୍ରଥମଥର ପାଇଁ ବ୍ୟବହାର ହୋଇଛି ଅଣ୍ଡର ୱାଟର ଡ୍ରୋନ୍। ତ୍ରିବେଣୀ ସଙ୍ଗମ ଅଂଚଳର ପାଣିରେ ଶହେ ମିଟର ଯାଏଁ ଘୁରି ବୁଲୁଛି HD କ୍ୟାମେରା ଖଞ୍ଜିତ ଏକାଧିକ ଡ୍ରୋନ୍। ୧୨୦ ମିଟର ଉପରକୁ ଉଡି ଛଞ୍ଚାଣ ଭଳି ନଜର ରଖିଛି ଟେଥର୍ଡ ଡ୍ରୋନ୍। ଭିଡ ନିୟନ୍ତ୍ରଣ ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଏହାକୁ ମୁତୟନ କରାଯାଇଛି। ଏଣ୍ଟ୍ରି ପଏଣ୍ଟରେ ଫେସିଆଲ୍ ରିକଗନିସନ୍ ଟେକ୍ନୋଲୋଜି ସହ ସହର ସାରା ଲାଗିଛି ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଦକ୍ଷତା ଭିତ୍ତିକ ୨୭ଶହ କ୍ୟାମେରା। ସାଇବର ଅପରାଧ ଓ ଅନଲାଇନ୍ ଧମକ ଭଳି ଘଟଣାର ତଦାରଖ କରୁଛନ୍ତି ୫୬ ଜଣିଆ ସାଇବର ଟିମ୍। 

Uttar Pradesh Kumbha Mela Prayagraj Holy Dip At Kumbh Mela