Advertisment

୭୮ ବର୍ଷ ତଳେ 'ଫ୍ୟାଟ୍‌ ମ୍ୟାନ୍' କରିଥିଲା ପ୍ରଳୟ

୧୯୪୫ ମସିହା ଅଗଷ୍ଟ ୯ ତାରିଖ ଦିନ ପରମାଣୁ ବୋମା ନାଗାସାକିରେ ରଚିଥିଲା ଧ୍ୱଂସର ତାଣ୍ଡବ। ଏହି ପରମାଣୁ ବୋମାର ସାଙ୍କେତିକ ନାଁ ଥିଲା ‘ଫ୍ୟାଟ୍ ମ୍ୟାନ୍‌’। 'ଲିଟିଲ ବୟ' ଅପେକ୍ଷା ଆହୁରି ଶକ୍ତିଶାଳୀ ଥିଲା 'ଫ୍ୟାଟ୍‌ ମ୍ୟାନ୍'।

author-image
Manoj Swain
ଅଦ୍ୟତନ ହୋଇଛି
Atomic Explosion

Atomic Explosion

ସାରା ଦୁନିଆ ଦେଖଥିଲା ଭୟଙ୍କର ଓ ଦାରୁଣ ଚିତ୍ର । ନାଗାସାକିର ଆକାଶରୁ ବିସ୍ଫୋରଣ ରୂପ ଧରି ଖସିଥିଲା ପରମାଣୁ ବୋମା, ଯାହାର ସାଙ୍କେତିକ ନାଁ ଥିଲା ‘ଫ୍ୟାଟ୍ ମ୍ୟାନ୍’ । ଆମେରିକାର ଏହି ପରମାଣୁ ବୋମା ଆଖି ପିଛୁଳାକେ ଖିନଭିନ କରିଦେଇଥିଲା ନାଗାସାକି ସହରକୁ। କୋଳାହଳମୟ ସହର ପାଲଟି ଯାଇଥିଲା ଶ୍ମଶାନ। ୭୮ ବର୍ଷ ତଳର ଏହି ଛାତିଥରା ଦୃଶ୍ୟ ଏବେବି ମାନସପଟରେ ଉଦ୍‌ଜୀବିତ ହୋଇ ରହିଛି। 

Advertisment

ସେହି ଦିନ ଥିଲା ୧୯୪୫ ମସିହା ଅଗଷ୍ଟ ୯ ତାରିଖ। ସକାଳ ପ୍ରାୟ ୧୧ଟା ୦୧ ମିନିଟ୍‌ରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିଲା ପରମାଣୁ ବୋମା। ଏହି ପରମାଣୁ ବୋମାର ସାଙ୍କେତିକ ନାଁ ଥିଲା ‘ଫ୍ୟାଟ୍‌ ମ୍ୟାନ୍‌’। ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା ‘ଲିଟିଲ ବୟ’ଠାରୁ ଏହା ଥିଲା ଆହୁରି ଶକ୍ତିଶାଳୀ। ‘ଫ୍ୟାଟ୍‌ ମ୍ୟାନ୍‌’ ଭୂମିଠାରୁ ୧୫୫୦ ଫୁଟ ଉଚ୍ଚରେ ବିସ୍ଫୋରଣ ହୋଇଥିଲା। ଆଉ ନିମିଷକେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ନାଗାସାକି ସହର। 

Nagasakiପରମାଣୁ ବୋମା ନାଗାସାକିରେ ରଚିଥିଲା ଧ୍ୱଂସର ତାଣ୍ଡବ

‘ଫ୍ୟାଟ୍‌ ମ୍ୟାନ୍‌’ ଏତେ ଶକ୍ତିଶାଳୀ ଥିଲା ଯେ, ମାତ୍ର କିଛି ସେକେଣ୍ଡ ଭିତରେ ଚାଲିଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ। ଦେଢ଼ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ଲୋକ ପ୍ରାଣ ହରାଇଥିଲେ। ଏହି ପରମାଣୁ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ବର୍ଷବର୍ଷ ଧରି ଜାପାନରେ ପରମାଣୁ ବୋମାର ପ୍ରଭାବ ଲାଗି ରହିଥିଲା। ଯୁଦ୍ଧ ସରିଲା ପରେ ସେଠାରେ ଲକ୍ଷଲକ୍ଷ ଲୋକ ବିକଳାଙ୍ଗ ହୋଇ ପଡିଥିଲେ । 

Advertisment
Nagasakiନାଗାସାକି

ଏକ ରିପୋର୍ଟ ଅନୁଯାୟୀ ପରମାଣୁ ବୋମା ପଡ଼ିବା ମାତ୍ରେ ସେଠାରେ ୩୯୦୦ ଡିଗ୍ରୀ ସେଲସିୟସ୍ ଉତ୍ତାପ ଉତ୍ପନ୍ନ ହୋଇଥିଲା। ସେଥିପାଇଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ପରମାଣୁ ଆକ୍ରମଣର କାରଣ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଶକ୍ତିଶାଳୀ ଆମେରିକା ବିପକ୍ଷରେ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଫୋର୍ସ ହଠାତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା।ଆମେରିକା ପର୍ଲ ହାର୍ବର୍‌ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ପଣ କରିଥିଲା। ସେଥିପାଇଁ ଜାପାନର ୨ଟି ସହର (ହିରୋସୀମା ଓ ନାଗାସାକି) ଉପରେ ପକାଇଥିଲେ ପରମାଣୁ ବୋମା। ହିରୋସୀମାରେ ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ପଡ଼ିଥିଲା ପରମାଣୁ ବୋମା, ଯାହାର ସାଙ୍କେତିକ ନାଁ ଥିଲା ‘ଲିଟିଲ ବୟ’। 

 representative image'ଫ୍ୟାଟ୍‌ ମ୍ୟାନ୍'

ନାଗାସାକି ଦିବସ ପାଳନର ଉଦ୍ଦେଶ୍ୟ

ନାଗାସାକି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ତଥା ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ।ତେଣୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ନାଗାସାକି ଦିବସ ପାଳନ କରାଯାଏ। ଅନେକ ଦେଶ ଯୁଦ୍ଧ ବିରୋଧୀ ଏବଂ ପରମାଣୁ ବିରୋଧୀ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବାରୁ ଏହି ଦିନଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଅନ୍ୟପକ୍ଷରେ ଅଗଷ୍ଟ ୯ ତାରିଖକୁ ଜାପାନରେ 'କଳା ଦିବସ' ଭାବରେ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଅନ୍ୟ ଦେଶମାନଙ୍କୁ ଶାନ୍ତିପୂର୍ଣ୍ଣ ବାର୍ତ୍ତା ଦେବା । ପରମାଣୁ ଅସ୍ତ୍ରର ଭୟଙ୍କର ପ୍ରଭାବ ଯୋଗୁଁ ଜାପାନ ଏକ ଶାନ୍ତିପୂର୍ଣ୍ଣ ଏବଂ ଅଣ-ପରମାଣୁ ଦେଶ ଭାବେ ବିକଶିତ ହୋଇଛି। 

Japan Nagasaki Day Fat Man