ଭବିଷ୍ୟତରେ ବ୍ୟବହାର ପାଇଁ ଶକ୍ତି ଉତ୍ସକୁ ସଂରକ୍ଷଣ ରଖିବା ନିହାତି ଆବଶ୍ୟକ। କିନ୍ତୁ ଏଥିପାଇଁ ସଚେତନତାର ଅଭାବ ରହୁଛି। ସମସ୍ତେ ବର୍ତ୍ତମାନର ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ସଂରକ୍ଷଣ ପ୍ରତି ଆଦୌ ସଚେତନ ନାହାନ୍ତି। ଫଳରେ ଶକ୍ତି ଅପଚୟ ହୋଇଯାଉଛି। ତେଣୁ ଶକ୍ତି ଅପଚୟକୁ ହ୍ରାସ କରିବା, ଶକ୍ତି ସଞ୍ଚୟ କରିବା ଏବଂ ଏହାର ସଂରକ୍ଷଣର ମହତ୍ତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଦେଶରେ ପ୍ରତିବର୍ଷ ଡିସେମ୍ବର 14କୁ ରାଷ୍ଟ୍ରିୟ ଶକ୍ତି ସଂରକ୍ଷଣ ଦିବସ(National Energy Conservation Day) ପାଳନ କରାଯାଏ।
ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଉ ଏଥିରେ ଆମ ଦେଶ ଭାରତ ସର୍ବାର୍ଗେ ରହିଛି। ସେହି ଅନୁଯାୟୀ ଶକ୍ତିର ଆବଶ୍ୟକତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ, ଶକ୍ତି ଚାହିଦା ଦ୍ରୁତ ଗତିରେ ବୃଦ୍ଧି ହେତୁ ଭବିଷ୍ୟତରେ ପାରମ୍ପାରିକ ଶକ୍ତି ଉତ୍ସ ନଷ୍ଟ ହେବାର ଆଶଙ୍କା କରାଯାଉଛି। ତେଣୁ ଆମ ଦେଶ ପାଇଁ ଶକ୍ତି ଉତ୍ସକୁ ସଂରକ୍ଷଣ ରଖିବା ଜରୁରୀ ହୋଇପଡିଛି।
ଶକ୍ତି ସଂରକ୍ଷଣ ଦିବସର ଇତିହାସ
ଭାରତରେ ଶକ୍ତି ସଂରକ୍ଷଣ ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 1977 ମସିହାରେ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ ଗଠନ କରିଥିଲେ। ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣର ମହତ୍ତ୍ୱ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ 2002 ମସିହାରେ ଅନ୍ୟ ଏକ ସଂଗଠନ ‘ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି’ ପ୍ରତିଷ୍ଠା କରାଯାଇଥିଲା।
ଏହି ସଂଗଠନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶକ୍ତି ସଂରକ୍ଷଣ ବାବଦରେ ସଚେତନ କରିଥାଏ। ଛୋଟ ପଦକ୍ଷେପ ମାଧ୍ୟମରେ କିପରି ଶକ୍ତି ଅପଚୟକୁ ରୋକାଯାଇ ପାରିବ ସେଥିପାଇଁ ବିଜ୍ଞାପନ ଏବଂ ୱାର୍କଶପ୍ ଜରିଆରେ ଲୋକଙ୍କୁ ଅବଗତ କରାଯାଏ। ଘରେ କିମ୍ବା କାର୍ଯ୍ୟାଳୟରେ ଲାଇଟ୍, ପଙ୍ଖା, ହିଟର, କୁଲର୍, ଏସି ଏବଂ ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣର ଅନାବଶ୍ୟକ ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଏ।
ସର୍ବସାଧାରଣ ସ୍ଥାନରେ ସୌର ଲାଇଟ୍ ବ୍ୟବହାର। ଦିନ ସମୟରେ ପ୍ରାକୃତିକ ଆଲୋକର ବ୍ୟବହାର। ଯଦି ଅଫିସରେ ପର୍ଯ୍ୟାପ୍ତ ପ୍ରାକୃତିକ ଆଲୋକ ଅଛି, ତେବେ କୃତ୍ରିମ ଆଲୋକ ବ୍ୟବହାରକୁ ରୋକିବା ଉଚିତ୍। ଏପରି କରିବା ଦ୍ୱାରା କେବଳ ଯେ ଶକ୍ତି ସଂରକ୍ଷଣ ହେବ ତାହା ନୁହେଁ, ବରଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ।
ଯଦି ଆମେ ଶକ୍ତି ସଂରକ୍ଷଣ ବିଷୟରେ ଆଲୋଚନା କରୁଛନ୍ତି, ତେବେ ଜଳ ସଂରକ୍ଷଣକୁ ଭୁଲି ଯିବା ଅନୁଚିତ୍। କାରଣ ଜଳ ହିଁ ଶକ୍ତିର ମୁଖ୍ୟ ଉତ୍ସ। ତେଣୁ ଜଳ ଅପଚୟକୁ ମଧ୍ୟ ରୋକିବା ଉଚିତ୍, ଯାହା ଫଳରେ ଶକ୍ତି ଉତ୍ସ ସଞ୍ଚୟ ହୋଇପାରିବ। ଏଥିପାଇଁ ପ୍ରତିଟି ବ୍ୟକ୍ତି ସଚେତନ ହେବା ନିହାତି ଜରରୀ। ନିଜ ପାଇଁ ଏବଂ ଆଗାମୀ ପିଢି ପାଇଁ ଶକ୍ତି ଅପଚୟକୁ ରୋକିବାକୁ ହେଲେ ଏବେଠାରୁ ଆମ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡିବ।