Advertisment

ମାଣ୍ଡିଆ ମା’ ସୁବାସା

G20 ସମ୍ମିଳନୀରେ ସୁବାସାଙ୍କୁ ପୁରସ୍କୃତ କରିଥିଲେ ରାଷ୍ଟ୍ରପତି।

author-image
Tapaswini Nayak
ଅଦ୍ୟତନ ହୋଇଛି
subasa mohanty

subasa mohanty

କଥାରେ ଅଛି ‘ଚାଷ କାମ ଯାହାର କେତେ ସୁଖ ତାହାର’। ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ମହିଳା ଚାଷୀ, ଯିଏ ଚାଷ କରି ଆଜି ଦିଲ୍ଲୀ ଦରବାରରେ ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୁଇଲି ଗ୍ରାମର ସୁବାସା ମହାନ୍ତ। ଆଜି ରାଷ୍ଟ୍ରୀୟ କୃଷକ ଦିବସରେ ଆସନ୍ତୁ ଜାଣିବା ତାଙ୍କର ସଫଳତାର କାହାଣୀ।

Advertisment

ସୁବାସାଙ୍କ ଜୀବନ ସାଧାରଣ ମହିଳାଙ୍କ ପରି ଚାଲିଥିଲା। ଘର କାମରେ ସୀମିତ ଥିଲେ ସେ। ୨୦୧୮ ମସିହାରେ ଦିନେ ସେ ସ୍ୱାମୀ ସୁରେଶଚନ୍ଦ୍ର ମହାନ୍ତଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ କହିଥିଲେ। ସ୍ୱାମୀ ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଥିଲେ। ତାଙ୍କ ସ୍ୱାମୀ ବଜାରରୁ ୨୫୦ ଗ୍ରାମ ମାଣ୍ଡିଆ ମଞ୍ଜି ଆଣି ତାକୁ ନିଜ ଜମିରେ ବୁଣି ଦେଇଥିଲେ। ଉଭୟ ସ୍ୱାମୀସ୍ତ୍ରୀ ମିଶି ତାର ରକ୍ଷଣାବେକ୍ଷଣ କରିଥିଲେ। ମାଣ୍ଡିଆ ମଧ୍ୟ ଭଲ ହୋଇଥିଲା। ୨୫୦ ଗ୍ରାମ ମାଣ୍ଡିଆରୁ ସେ ୫ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିଥିଲେ।

Subasaରାଷ୍ଟ୍ରପତିଙ୍କ ସହିତ ସୁବାସା

ପ୍ରଥମ ପ୍ରୟାସରେ ଭଲ ମାଣ୍ଡିଆ ହେବାରୁ ପରେ ଅଧିକ ଜମିରେ ଏହାକୁ ଚାଷ କରିବା ପାଇଁ ମନ ବଳାଇଥିଲେ ସୁବାସା ଓ ତାଙ୍କ ସ୍ୱାମୀ। ସେମାନେ ଅଧିକ ଜମିରେ ମାଣ୍ଡିଆ ଚାଷ କରିଥିଲେ। ଭଲ ମାଣ୍ଡିଆ ମଧ୍ୟ ହୋଇଥିଲା। ତାକୁ ବିକି ସେମାନେ ଭଲ ରୋଜଗାର କରିଥିଲେ। ଏବେ ସୁବାସା ୮ଏକର ଜମିରେ ମାଣ୍ଡିଆ ଚାଷ କରୁଛନ୍ତି। ବିଭିନ୍ନ କିସମର ମାଣ୍ଡିଆ ମଞ୍ଜି ଆଣି ଚାଷ କରୁଛନ୍ତି। ଏଥିରୁ ନିଜେ ରୋଜଗାର କରିବା ସହିତ ଗାଁର ୬୦ ଜଣଙ୍କୁ ରୋଜଗାର ଦେଇଛନ୍ତି ସୁବାସା। ସେମାନଙ୍କ ମଧ୍ୟରେ ବହୁ ମହିଳା ଅଛନ୍ତି। ମାଣ୍ଡିଆ ଚାଷ କରି ସଫଳ ଚାଷୀ ଭାବେ ସୁବାସାଙ୍କୁ ଓଡ଼ିଶା ସହ ଦିଲ୍ଲୀ ଦରବାରରେ ସମ୍ମାନିତ କରାଯାଇଛି। 

Advertisment
Subasaସ୍ୱାମୀଙ୍କ ସହିତ ସୁବାସା

ଗତ ମାସରେ ଦିଲ୍ଲୀରେ ଅୟୋଜିତ G20 ସମ୍ମିଳନୀରେ ଯୋଗ ଦେଇ ମାଣ୍ଡିଆ ଚାଷକୁ ନେଇ ତାଙ୍କର ଅନୁଭୂତି ଓ ମାଣ୍ଡିଆର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ସୁବାସା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୁବାସାଙ୍କ ଷ୍ଟଲ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଗରେ ସୁବାସା ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ସୁବାସାଙ୍କୁ  ପ୍ରଶଂସା କରିଥିଲେ। ରାଷ୍ଟ୍ରପତି  G20 ସମ୍ମିଳନୀରେ ସୁବାସାଙ୍କୁ ପୁରସ୍କୃତ କରିଥିଲେ। ସୁବାସା ଜଣେ ସଫଳ ମାଣ୍ଡିଆ ଚାଷୀ ଭାବେ ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି।ମାଣ୍ଡିଆ ମା’ ଭାବେ ସୁବାସା ପରିଚିତ।

Subasaଦିଲ୍ଲୀରେ G20 ଅବସରରେ ସୁବାସାଙ୍କ ଷ୍ଟଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସୁବାସା କହିଛନ୍ତି, ମୁଁ ୨୦୧୮ ମସିହାରେ ପ୍ରଥମେ ମାଣ୍ଡିଆ ଚାଷ କରିଥିଲି। ମାଣ୍ଡିଆ ଚାଷ କରି ମୁଁ ଭଲ ଦୁଇ ପଇସା ରୋଜଗାର କରିପାରୁଛି। ମାଣ୍ଡିଆ ମୋ ଦୁଃଖ ଦୂର କରିଛି। ମାଣ୍ଡିଆ ହେଉଛି ମୋ ଲକ୍ଷ୍ମୀ। ମୁଁ ଏବେ  ୮ ଏକର ଜମିରୁ ୫୦ରୁ ୬୦ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରୁଛି। ମୁଁ ବଞ୍ଚିଥିଲା ଯାଏ ମାଣ୍ଡିଆ ଚାଷ କରିବି। ମୋ ପରିବାର ଲୋକ ସମସ୍ତେ ମାଣ୍ଡିଆ ଖାଉଛନ୍ତି। G20 ସମ୍ମିଳନୀରେ ଯୋଗ ଦେଇ ମୁଁ ଖୁସି ଅନୁଭବ କରିଥିଲି। ସେଠାରେ ମୁଁ ମାଣ୍ଡିଆ ଚାଷ ଉପରେ ମୋର ଅନୁଭୂତି ବର୍ଣ୍ଣନା କରିଥିଲି। 
Mayurbhanj National Farmers' Day