Advertisment

ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାହାରିବ ନାହିଁ ଆଖଡ଼ା ଶୋଭାଯାତ୍ରା

ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଆଖଡ଼ା ଶୋଭାଯାତ୍ରା।

author-image
Biswajit Samal
ଅଦ୍ୟତନ ହୋଇଛି
Sambalpur

Sambalpur

ସମ୍ୱଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାହାରିବ ନାହିଁ ଆଖଡ଼ା ଶୋଭାଯାତ୍ରା। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭଜନ କୀର୍ତ୍ତନ ସହ ସମସ୍ତ ରୀତିନୀତି ପାଳନ ହେବ। ତେବେ ମୁଖ୍ୟ ରାସ୍ତାରେ ବାଇକ ରାଲି କି କୌଣସି ପ୍ରକାର ଶୋଭାଯାତ୍ରା ହେବ ନାହିଁ। ସାଧାରଣର ନିର୍ବାଚନ ଓ ଗତ ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଆଖଡ଼ା ଶୋଭାଯାତ୍ରା। ଏହି ବିଶାଳ ଶୋଭାଯାତ୍ରାରେ ନୃତ୍ୟ ଓ ରୋଷଣୀ ସହ ପାରମ୍ପରିକ ସମରକଳା କୌଶଳ ପ୍ରଦର୍ଶିତ ହୋଇଥାଏ। ବିଭିନ୍ନ ସ୍ଥାନରୁ କଳାକାର ଓ ଆଖଡ଼ା ଦଳ ଆସିଥାନ୍ତି ଏଥିରେ ସାମିଲ ହେବା ପାଇଁ। ଆଖଡ଼ା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବିଳମ୍ବିତ ରାତିଯାଏ ଚାଲିଥାଏ ସାଂସ୍କୃତିକ ଶୋଭାଯାତ୍ରା। ଶେଷରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ। କିନ୍ତୁ ଗତ ବର୍ଷ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଓ ଆଖଡ଼ା ଶୋଭାଯାତ୍ରା ସମୟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବା ସହ ସହର ଅଶାନ୍ତ ରିହିଥିଲା। ସହରରେ କାର୍ଫ୍ୟୁ ମଧ୍ୟ ଲାଗିଥିଲା ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

ଆଜିର ଶାନ୍ତି ଓ ସମନ୍ୱୟ ବୈଠକରେ ହନୁମାନ ସମନ୍ୱୟ ସମିତି ଓ ଅନ୍ୟ ସାମାଜିକ ସଙ୍ଗଠନ ସମେତ ବିଭିନ୍ନ ସମ୍ପଦାୟର ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ। ଆଗକୁ ନିର୍ବାଚନ ଆସୁଥିବାରୁ ଗତବର୍ଷର ତିକ୍ତ ଘଟଣା ସମ୍ପର୍କରେ ମନେ ପକାଇ ନିର୍ବାଚନ ପ୍ରକ୍ରିୟା କିପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ପ୍ରଶାସନ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସର୍ବସାଧାରଣ ରାସ୍ତାରେ କୌଣସି ବଡ଼ ଧରଣର ଧାର୍ମିକ ଶୋଭାଯାତ୍ରା ବାହାର ନକରିବାକୁ ଅନୁରୋଧ କରିଥିଲେ। ଶେଷରେ ଏହି ନିଷ୍ପତ୍ତି ହୋଇଥିଲା ଯେ ଚଳିତ ବର୍ଷର ହନୁମାନ ଜୟନ୍ତୀରେ ଆଖଡ଼ା ଶୋଭାଯାତ୍ରା ସମେତ ଅନ୍ୟ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ। ଗତ ବର୍ଷ ମଧ୍ୟ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅଘଟଣ ପରେ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ଏକ ବର୍ଷ ପାଇଁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲେ।

Advertisment

ରିପୋର୍ଟ- ସମ୍ବଲପୁରରୁ ସଂଜୟ କୁମାର ଜେନା

Hanuman Jayanti