Advertisment

ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ

ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଅବସରରେ ଅଶାନ୍ତ ହୋଇଯାଇଥିଲା ସମ୍ବଲପୁର ସହର। ସହରରେ ହୋଇଥିଲା ସାଂପ୍ରଦାୟିକ ହିଂସାକାଣ୍ଡ।

author-image
Jitendra Garnayak
Sambalpur SP

Sambalpur SP

ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି। ଶାନ୍ତି କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି।

Advertisment

ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଓ ମହରମ ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଥାଏ। ଆଗକୁ ମହରମ ଆସୁଥିବା ବେଳେ ସେଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ଉପସ୍ଥିତିରେ ବିଭିନ୍ନ ସଂପ୍ରଦାୟକୁ ନେଇ ଗଠିତ ଶାନ୍ତି କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ମହରମକୁ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଆଉ ଏହି ବୈଠକରେ ବର୍ଷେ ପାଇଁ ସମସ୍ତ ପ୍ରକାର ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଅବସରରେ ଅଶାନ୍ତ ହୋଇଯାଇଥିଲା ସମ୍ବଲପୁର ସହର। ସହରରେ ହୋଇଥିଲା ସାଂପ୍ରଦାୟିକ ହିଂସାକାଣ୍ଡ। ପୋଡ଼ାଜଳା ହୋଇଥିଲା। କର୍ଫ୍ୟୁ ଲାଗିଥିଲା। କର୍ଫ୍ୟୁ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ଏହି ଘଟଣାରେ ଅନେକ ଲୋକ ଜେଲ୍ ଯାଇଥିଲେ। କିଛି ଲୋକ ବାହାରି ଆସିଥିବା ବେଳେ ଆଉ କିଛି ଏବେ ବି ଜେଲ୍‌ରେ ଅଛନ୍ତି। ତେବେ ଏହି ଘଟଣାର ଯେପରି ପୁନରାବୃତ୍ତି ନହେବ ଓ ସହରରେ ସାଂପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସମସ୍ତ ପର୍ବପର୍ବାଣକୁ ଲୋକେ ହର୍ଷୋଲ୍ଲାସିତ ଭାବେ ପାଳନ କରିପାରିବେ ବୋଲି କୁହାଯାଇଛି।

Advertisment

ଏସ୍‌ପି ମୁକେଶ ଭାମୁ କହିଛନ୍ତି, ଲୋକେ ଆଉ ସେହି ଘଟଣା (ହନୁମାନ ଜୟନ୍ତୀ ହିଂସାକାଣ୍ଡ)କୁ ମନେ ପକାଇବାକୁ ଚାହୁଁନାହାନ୍ତି। ଆମର ମଧ୍ୟ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ସମ୍ବଲପୁର ସହରରେ ଶାନ୍ତିଶୃଙ୍ଖଳା ବଜାୟ ରହୁ। ସହରରେ ଧାର୍ମିକ ସଦ୍‌ଭାବନାକୁ ବଜାୟ ରଖିବା ଆମର ମୁଖ୍ୟ କାର୍ଯ୍ୟ। ବର୍ତ୍ତମାନ ସହରରେ ଯେଉଁ ଶାନ୍ତିଶୃଙ୍ଖଳା ସ୍ଥିତି ରହିଛି, ତାହା ବଜାୟ ରହୁ।

Sambalpur Religious Harmony