ଓମାନରେ ପାଳନ ହେଲା ଗଣପର୍ବ ନୂଆଁଖାଇ। ୧୩ ସେପ୍ଟେମ୍ୱର ଶୁକ୍ରବାର ଦିନ ସୁଦୂର ଓମାନରେ 'ନୂଆଁଖାଇ' ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ନୂଆଁ ଖାଇଛନ୍ତି।
ନୂଆଁଖାଇ ପାଳନ ଅବସରରେ ଝୋଟି, ଶ୍ଲୋକ, ଗୀତ, ଚିତ୍ର, ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା ଏବଂ ଏଥିରେ ଭାଗନେଇଥିଲେ ପ୍ରବାସୀ ଓଡ଼ିଆ ମହିଳା ଏବଂ ଛୋଟ ଛୋଟ ପିଲା। ୧୦ ବର୍ଷ ହେବ ଓମାନରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯାଉଛି । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ରାଜ୍ୟର କୋଣ ଅନୁକୋଣରୁ ଯାଇ ସେଠାରେ ଥିବା ପ୍ରତିଟି ଓଡ଼ିଆ ଏହି ପର୍ବରେ ସାମିଲ ହୋଇଥାନ୍ତି।
ଏହି ପର୍ବ ପାଳନ ସମୟରେ ଦେଶ ବାହାରେ ମଧ୍ୟ ଏକ ନିଆରା ଭାଇଚାରା ଦେଖିବାକୁ ମିଳିଥାଏ । ଓଡ଼ିଆ କମ୍ୟୁନିଟିର ମୀନାକ୍ଷୀ ଶତପଥୀ, ନିର୍ମଳ ବେହେରା, ସରୋଜ ସାହୁ, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ ପଣ୍ଡା, ଲୁଲୁ ରଥ ଏବଂ ପୁରୁଷୋତ୍ତମ ମିଶ୍ର ନୂଆଁଖାଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଆୟୋଜିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ୱଲପୁରର ମାନଗୋବିନ୍ଦ ବରପଣ୍ଡା ଏବଂ ପଦ୍ମିନୀ ବରପଣ୍ଡା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।