ରାଜ୍ୟରେ ବିଜେପି ସରକାର କାର୍ଯ୍ୟକାଳରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା କନକ୍ଲେଭ’ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହି ଅବସରରେ ଚଳିତମାସ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବାବେଳେ ୨୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଶିଳ୍ପପତି ଓ ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି ।
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି । ଜାନୁୟାରୀ ୨୭ତାରିଖରେ ସିଆଇଆଇ(ଭାରତୀୟ ଶିଳ୍ପ ମହାସଂଘ)ର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ୨୮-୨୯ ଦୁଇଦିନ ଧରି ୪ଟି ପ୍ଲେନାରୀ ସେସନ୍, ୧୬ଟି ସେକ୍ଟରରାଲ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ କନଫରେନ୍ସ ଅନୁଷ୍ଠିତ ହେବ । ଏହି ଦୁଇ ଦିନମଧ୍ୟରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ପ୍ରାୟ ୩ହଜାର ଶିଳ୍ପପତି, ପୁଞ୍ଜିନିବେଶକ, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଓ ଶିଳ୍ପ ସଂସ୍ଥା ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେବେ । ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ତାରିଖ ଦିନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶିଳ୍ପ ପତି ଓ ପୁଞ୍ଜିନିବେଶକଙ୍କୁ ଉଦବୋଧନ ଦେବେ । ଏହି ଦୁଇଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବାସହିତ ବିଶିଷ୍ଟ ଶିଳ୍ପମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ଼ବଡ଼ ଶିଳ୍ପ ସଂସ୍ଥାର ସିଇଓମାନଙ୍କ ରାଉଣ୍ଡ ଟେବୁଲ, ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱତନ୍ତ୍ର ସେସନ ଓ ମହିଳା ବିଜିନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବ । ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡ଼ିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବ ।
ଆଜିର ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।