Advertisment

ଭିଡ଼ ନିୟନ୍ତ୍ରଣରେ ପୁଲିସ ପ୍ରଶାସନ ଫେଲ୍ : ମାତ୍ର ଖୋଜେ ଗଡ଼ିଲା ‘ନନ୍ଦିଘୋଷ’ ରଥ

୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା ।

author-image
Ordigital Desk
ଅଦ୍ୟତନ ହୋଇଛି
Lord Jagannath's Chariot

Lord Jagannath's Chariot

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ବହୁ ପ୍ରସ୍ତୁତି, ବୈଠକ ଓ ଉଚ୍ଚସ୍ତରୀୟ ସମୀକ୍ଷା ଆଦି ହେଲା । କିନ୍ତୁ ଶେଷରେ ଭିଡ଼କୁ ନିୟନ୍ତ୍ରଣ କରିବାରେ ପୁଲିସ ପ୍ରଶାସନ ଫେଲ୍ ମାରିଲା । ପ୍ରବଳ ଭିଡ଼ ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଗଡ଼ି ପାରିଲା ନାହିଁ । ଶେଷରେ ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା ରଖିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ରଥକୁ ମାତ୍ର ଖୋଜେ ଗଡ଼ାଇ ବିଧିସମ୍ପନ୍ନ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ ରଥ’ର କର୍ଡ଼ନ ଭିତରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଯୋଗୁ ରଥଟଣା ସମ୍ଭବ ହୋଇପାରିନଥିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment

ସୂଚନା ଅନୁସାରେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହେବାକୁ ଥିବା ପହଣ୍ଡି ରୀତି ଏକ ଘଂଟା ବିଳମ୍ବରେ ଆରମ୍ଭ ହୋଇ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ଧରି ଚାଲିଥିଲା । ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ରୀତି ସଂପନ୍ନ କରିଥିଲେ । ପରେ ଅପରାହ୍ନ ପ୍ରାୟ ୪:୧୦ରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ସେଭଳି ଅଟକି ରହିଥିଲା । ରାତି ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ରଥକୁ ଟାଣିବା ପାଇଁ ପ୍ରଶାସନ ସବୁ ପ୍ରକାରର ପ୍ରୟାସ କରି ବିଫଳ ହୋଇଥିଲା । ଶେଷରେ ୭ଟା ୪୫ମିନିଟ୍ ବେଳକୁ ନନ୍ଦିଘୋଷ ରଥକୁ ସାମାନ୍ୟ ଖୋଜେ ଟାଣି ସେହିଠାରେ ରଖି ଦିଆଯାଇ ବିଧିସମ୍ପନ୍ନ କରାଯାଇଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଛି । ରଥଯାତ୍ରା ପାଇଁ ରୀତିନୀତି ଠିକ୍ ସମୟରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ନନ୍ଦିଘୋଷ ରଥ ଟଣା ନଯିବା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି ।

ଆକଳନଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି: ଆଇନମନ୍ତ୍ରୀ

ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ନହୋଇପାରିବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ନନ୍ଦିଘୋଷ ରଥ କର୍ଡନ ଭିତରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଯୋଗୁ ରଥଟଣାରେ ବିଳମ୍ବ ହେଉଛି । ପୁଲିସ ସେମାନଙ୍କୁ ବାହାର କରିବା ପରେ ହିଁ ରଥଟଣା କାର୍ଯ୍ୟ ହେବ । ତେବେ ୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଚଳିତଥର ରଥଯାତ୍ରାରେ ଭକ୍ତମାନଙ୍କର ସମାଗମ ବିପୁଳ ସଂଖ୍ୟାରେ ହୋଇଛି । ପୂର୍ବଥର ତୁଳନାରେ ପ୍ରାୟ ଦେଢ଼ଗୁଣ ଅଧିକ ହୋଇଛି । ଆକଳନଠୁ ଅଧିକ ଭକ୍ତମାନେ ଏଥର ରଥଯାତ୍ରାକୁ ଆସିଛନ୍ତି । ମାତ୍ର କୌଣସି ପ୍ରକାରର ବଡ଼ ଅଘଟଣ ଚଳିତ ରଥଯାତ୍ରାରେ ହୋଇନି । ବିଧି ଅନୁସାରେ ନନ୍ଦିଘୋଷ ରଥ ଅଳ୍ପ ବାଟ ଟଣା ହୋଇଛି । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଆସନ୍ତାକାଲି କେତେବେଳେ ରଥ ଟଣା ହେବ ତା’ର ନିଷ୍ପତ୍ତି ନିଆଯିବ । ନୀତିକାନ୍ତି ସବୁ ଠିକ୍ ସମୟରେ ହୋଇଛି । ମହାପ୍ରଭୁ ବଳଭଦ୍ରଙ୍କ ରଥଟଣାବେଳେ ବାରମ୍ବାର ମୋଡ଼ ହେବାରୁ ଅନ୍ୟ ରଥଟଣାରେ ବିଳମ୍ବ ହୋଇଥିଲା । ରାତ୍ରିରେ ରଥଟଣା ଯିବା କୌଣସି ନୂଆ କଥା ନୁହେଁ । ପୂର୍ବରୁ ଲାଇଟ୍ ଲଗାଇ ରଥ ଟଣା ଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Advertisment

ମହାପ୍ରଭୁ ନିଜର ଅସନ୍ତୋଷ ବ୍ୟକ୍ତ କଲେ: ପୂର୍ବତନ ଆଇନମନ୍ତ୍ରୀ

ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ବିଳମ୍ବ ଓ ମାତ୍ର ଖୋଜଟିଏ ଟଣା ହେବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ “ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କ କାର୍ଯ୍ୟରେ ଅସନ୍ତୋଷ ଥିବାର ପ୍ରମାଣ ଦେଇଛନ୍ତି । ସରକାର ଓ ପ୍ରଶାସନ ଏତେ ଖାମଖିଆଲି କିଭଳି ହେଉଛି । ମହାପ୍ରଭୁଙ୍କ ରଥଯାତ୍ରା ସହ କୋଟିକୋଟି ଲୋକ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ଜଡ଼ିତ । ସେମାନଙ୍କର ଏଭଳି ଖାମଖିଆଲି ଯୋଗୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗଡ଼ି ପାରିଲା ନାହିଁ । ଏହା ନିଶ୍ଚିିତ ଭାବେ ଶ୍ରଦ୍ଧାଳୁଙ୍କୁ ଆଘାତ ଦେଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ । ରଥଯାତ୍ରା ପାଇଁ ପୁରୀରେ ରାଜ୍ୟ ଆଇନମନ୍ତ୍ରୀ ତ ଉପସ୍ଥିତ ଅଛନ୍ତି, ବିଳମ୍ବକୁ ନେଇ ଯେଉଁ ସମସ୍ୟା ହୋଇଥିଲା ତା’ର ସମାଧାନ କାହିଁଁକି ତୁରନ୍ତ କଲେନି କିଏ ମନା କରିଥିଲା? ସେଭଳି ନକରି କର୍ଡ଼ନ ଭିତରେ ଅଧିକ ଶ୍ରଦ୍ଧାଳୁ ପଶିଯିବା କଥା କହୁଛନ୍ତି । ଆକଳନଠୁ ଦେଢ଼ଗୁଣ ଭକ୍ତ ପୁରୀକୁ ଆସିଲେ ବୋଲି କହୁଛନ୍ତି । ଏହା ତ ସିଧାସଳଖ ସେମାନଙ୍କର ବିଫଳତା ଓ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତାକୁ ପ୍ରମାଣିତ କରାଉଛି । ତା’ଛଡ଼ା ରଥରେ ଯଦି କିଛି ସମସ୍ୟା ଥିବ ହୁଏତ ରଥ ଟଣା ଯାଇନଥିବ । ଏଥିପାଇଁ ତ ରଥ ସହ ଜଡ଼ିତ ସମସ୍ତେ ଦାୟୀ ରହିବେ । ତେଣୁ ସେମାନେ ମହାପ୍ରଭୁଙ୍କୁ ନେଇ ଯେଭଳି ରାଜନୀତି ଓ ଗର୍ବଅହଙ୍କାର କରୁଛନ୍ତି ତା’ର ଫଳ ଶ୍ରୀଜଗନ୍ନାଥ ଦେଇଛନ୍ତି । ଭିଡ଼ ନିୟନ୍ତ୍ରଣ କାହିଁକି ହୋଇପାରିଲା ନାହିଁ ତା’ର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ଶ୍ରୀ ସାହୁ କହିଛନ୍ତି ।”

ବଳଗଣ୍ଡିରେ ତାଳଧ୍ୱଜ ଓ ମରିଚିକୁଣ୍ଡରେ ଦର୍ପଦଳନ ଅଟକିଲେ

ମହାପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ରଥ ବଳଗଣ୍ଡିଠାରେ ଅଟକି ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ମରିଚିକୁଣ୍ଡଠାରେ ଅଟକି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ସିଂହଦ୍ୱାରରେ ମାତ୍ରେ ଖୋଜେ ଯାଇ ଅଟକିଛି । ଆସନ୍ତାକାଲି ତିନି ଠାକୁରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ଟଣା ନଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଆସନ୍ତାକାଲି ପୁଣି ଟଣା ହେବ ରଥ

ଆଜି ରାତି ୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ସମସ୍ତ ରଥଟଣା ବନ୍ଦ ରହିଥିଲା। ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଅବକାଶ ନୀତି ପରେ ସକାଳ ୯ଟା ୩୦ରେ ପୁଣି ରଥଟଣା ହେବ ବୋଲି ସେ କହିଛନ୍ତି। 

Ratha Yatra