Advertisment

ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ- ପ୍ରବାସୀମାନେ କଲଚରାଲ ଆମ୍ବାସଡର

ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।

author-image
Niharika Rout
ଅଦ୍ୟତନ ହୋଇଛି
Meeting

Meeting

ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ। ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମେଳନ। ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ।

Advertisment

ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଲେ, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ। କୋଭିଡ ସମୟରେ ଭାରତ ନିଜସ୍ୱ  ଟିକା ତିଆରି କରିଥିଲା। ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା। ବହୁତ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି। ସ୍ୱଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢ଼ାଅ ଏହାର ଉଦାହରଣ ବୋଲି କହିଛନ୍ତି ଜୟଶଙ୍କର।

Advertisment

ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚରାଲ ଆମ୍ବାସଡର। ବିକଶିତ ଭାରତରେ ପ୍ରବାସୀ ଭାରତୀୟଙ୍କ ଅନେକ ଅବଦାନ ରହିଛି। ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନରେ ନିଜ ସମ୍ବୋଧନରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ନିଜ ଅଭିଭାଷଣ ଆରମ୍ଭରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ, ଓଡ଼ିଶାର ସଂସ୍କୃତି, ଐତିହ୍ୟ ସ୍ୱତନ୍ତ୍ର। ଆଇଟି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଟେକ୍ନୋଲୋଜି, ଅକ୍ଷୟଶକ୍ତି, ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ସମ୍ଭାବନା ରହିଛି। କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀ ଶ୍ରୀମନ୍ଦିର ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ। ଏହାଦ୍ୱାରା ଓଡ଼ିଶା ସହ ଆପଣଙ୍କର ସମ୍ପର୍କ ଆହୁରି ମଜଭୁତ ହେବ । ଏକାଠି କାମ କଲେ ଆମେ ଆହୁରି ସଶକ୍ତ ହେବା ଓ ବିକଶିତ ଭାରତ ଗଠନ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଦେଶର ବିକାଶରେ କେମିତି ପ୍ରବାସୀଙ୍କ ଭାଗିଦାରୀ ବଢିବ ସେନେଇ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଯୁବ ବ୍ୟାପର ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶ ହିତରେ ଯୋଗଦାନ ପାଇଁ ସେ ପ୍ରବାସୀଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଏବେ ୨୦ ଜଣ ନାଗରିକରୁ ୧୩ ଯୁବକ । ଦେଶ ବିକାଶରେ ଯୁବକମାନଙ୍କ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ।

ଏହି ଯୁବକମାନେ ଆଗାମୀ ଦିନର ଭବିଷ୍ୟତ। ଆଗକୁ ସେମାନେ କଉଁ ଭଳି ବିକଶିତ ଭାରତ ବର୍ଷ ଦେଖିବାକୁ ଚାହୁଁଛନ୍ତି, ସେହି ଦିଶାରେ ପ୍ରଧାନମନ୍ତ୍ରୀ ଆଗକୁ ବଢୁଛନ୍ତି। ୧ ଲକ୍ଷ ଯୁବ ନେତୃତ୍ୱ ତିଆରି କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖି କାମ କରୁଛନ୍ତି। ଏହି ସମୟ ଠିକ ସମୟ। ଏହି ସମୟରେ ଦେଶ ପାଇଁ ଶକ୍ତି ମୁତାବକ ଯୋଗଦାନ କରି ଭାରତକୁ ଦୁନିଆ ନଜରକୁ ଆଣନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ମାଣ୍ଡଭିୟ ।

ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ପ୍ରବାସୀ ଭାରତୀୟ। ସେମାନେ ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଡବଲ ଡେକର୍ ବସ୍ ରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ।

Bhubaneswar Pravasi Bharatiya Divas