Advertisment

‘ଯୁବପିଢ଼ି ଚାକିରି କରନ୍ତୁ, କିନ୍ତୁ ବାଣିଜ୍ୟ ବ୍ୟବସାୟ ପାଇଁ ଆଗଭର ହୁଅନ୍ତୁ’

ଯୁବ ସମାଜକୁ ପରାଶର୍ମ ଦେଇ ରାଷ୍ଟ୍ରପତି କହିଛନ୍ତି, ଆମ ସାଧବପୁଅମାନେ ବିପଦସଙ୍କୁଳ, ପାଣିପାଗର ଅନିଶ୍ଚିତତା ଓ ଜଳ ଦସ୍ୟୁଙ୍କ ଆକ୍ରମଣକୁ ଭୃକ୍ଷେପ ନକରି ୭ ସମୁଦ୍ର ୧୩ ପଈ ପାରି ହୋଇ ଦୀପ ଦୀପାନ୍ତ ଯାଇ ବାଣିଜ୍ୟ କରୁଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Paradeep

Paradeep

ଆଜିର ଯୁବପିଢ଼ି ସେମାନଙ୍କର ଯୋଗ୍ୟତା ଅନୁସାରେ ଚାକିରି କରନ୍ତୁ, ମନା ନାହିଁ। କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ। କଥାରେ ଅଛି, ‘ବାଣିଜ୍ୟେ ବସତେ ଲକ୍ଷ୍ମୀଃ’। ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରିବାରେ ମନୋନିବେଶ କରନ୍ତୁ। ଏହା ଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

Advertisment

ପାରାଦୀପ ପୋର୍ଟ ତରଫରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ବନ୍ଦର ଗୁଡ଼ିକର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର। ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ Port Development, Port – led – Development ଆଡ଼କୁ ଗତି କରୁଛି ବୋଲି ମହାମହିମ କହିଛନ୍ତି।

ସେ କହିଛନ୍ତି, ଆଜି ସାରା ଓଡ଼ିଶାର ପୁରପଲ୍ଲୀରେ ନଦୀ, ପୋଖରୀ ଓ ସମୁଦ୍ରରେ ଆମର ପ୍ରିୟ ଭାଇ ଭଉଣୀମାନେ ଡଙ୍ଗା ଭସାଇ ସାରିଥିବେ। ଭାରତର ବିଭିନ୍ନ ଅଞ୍ଚଳରେ ଓ ପୃଥିବୀର ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ମଧ୍ୟ ଡଙ୍ଗା ଭସା ପର୍ବରେ ସାମିଲ ହୋଇସାରିଥିବେ। ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଡଙ୍ଗା ଭସାଇଛି। ଆଜି ଏଠାରେ ସେସବୁ ମୋର ମନେ ପଡ଼ିଯାଉଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଆଜିର ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗଦେଇ ମୁଁ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment
Paradeepପୋର୍ଟରେ ମହାମହିମ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି ଆମେ ସମସ୍ତେ ଜାଣିଛେ। ସାରା ଭାରତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଉଛି। କେଉଁ ପର୍ବ ଧର୍ମ ଭିତ୍ତିକ ତ ଆଉ କେଉଁ ପର୍ବ କୃଷି ଭିତ୍ତିକ। କିନ୍ତୁ ଏକ ଗୌରବମୟ ଅତୀତର ସ୍ମୃତିରେ ପାଳନ ହେଉଥିବା ବାଲିଯାତ୍ରା ଏକ ନିଆରା ପର୍ବ। କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଓଡ଼ିଶାର ନୌବାଣିଜ୍ୟ ସମୃଦ୍ଧିର ପ୍ରତୀକ। ପୂର୍ବ କାଳରେ ଓଡ଼ିଆ ସାଧବ ପୁଅ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳରେ ବାଣିଜ୍ୟ ବ୍ୟବସାୟ କରୁଥିଲେ। ମାତୃଭୂମିକୁ ବିଭବଶାଳୀ କରିବା ସଙ୍ଗେ ସଙ୍ଗେ ଗୌରବ ବଢ଼ାଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି।

ଯୁବ ସମାଜକୁ ପରାଶର୍ମ ଦେଇ ରାଷ୍ଟ୍ରପତି କହିଛନ୍ତି, ଆମ ସାଧବପୁଅମାନେ ବିପଦସଙ୍କୁଳ, ପାଣିପାଗର ଅନିଶ୍ଚିତତା ଓ ଜଳ ଦସ୍ୟୁଙ୍କ ଆକ୍ରମଣକୁ ଭୃକ୍ଷେପ ନକରି ୭ ସମୁଦ୍ର ୧୩ ପଈ ପାରି ହୋଇ ଦୀପ ଦୀପାନ୍ତ ଯାଇ ବାଣିଜ୍ୟ କରୁଥିଲେ। ଏହା ଆମ ସାଧବପୁଅମାନଙ୍କ କର୍ମ କୁଶଳତା ଓ ଅସିମ ଧୈର୍ଯ୍ୟର ପ୍ରମାଣ। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ପରିବର୍ତ୍ତନ ଆଣିଛି। ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସମୁଦ୍ର ଯାତ୍ରା ସହଜ ଓ ସୁଗମ ହୋଇଛି। ଆଜିର ଯୁବପିଢ଼ି ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି କରନ୍ତୁ, ମନା ନାହିଁ। କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଆଗଭର ହୁଅନ୍ତୁ ବୋଲି ମହାମହିମ ରାଷ୍ଟ୍ରପତି କହିଛନ୍ତି।

Paradeepମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି

ରାଷ୍ଟ୍ରପତି ପାରାଦୀପରେ ଓହ୍ଲାଇ ଚାଲି ଚାଲି ବ୍ୟାରିକେଡ୍‌ ପାଖକୁ ଯାଇଥିଲେ। ସାଧାରଣ ଲୋକଙ୍କ ସହିତ ହାତ ମିଳାଇଥିଲେ। ଛୋଟ ପିଲାଙ୍କୁ ଚକୋଲେଟ ଦେଇଥିଲେ। ଲୋକମାନେ ମଧ୍ୟ ଉତ୍ସାହିତ ହୋଇ ହୁଳ ହୁଳି, ହରିବୋଲ, ଭାରତମାତା କି ଜୟ, ବନ୍ଦେମାତରମ୍‌ ନାରା ଦେଇଥିଲେ। ପାରାଦୀପ ବନ୍ଦର ଓ୍ଵେଟ୍‌ ବେସିନରେ ପହଞ୍ଚି ସାଧବ ପୁଅଙ୍କୁ ଶୁଭ କଳସ ପ୍ରଦାନ ପୂର୍ବକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ରାଷ୍ଟ୍ରପତି। ପରେ କୋଷ୍ଟଗାର୍ଡ ଜାହାଜ 'ଅମୋଘ'ରେ ପୋତାଶ୍ରୟରେ ବୁଲିଥିଲେ।

ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସାରି ନେହରୁବଙ୍ଗଳା ଗେଷ୍ଟ ହାଉସରେ ପହଞ୍ଚି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ଭାଇଭଉଣୀ ଓ ଅନ୍ୟମାନଙ୍କ ସହ କିଛି ସମୟ ବିତାଇଥିଲେ। ଏହି ଅବସରରେ ତାଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ, ଶାନ୍ତନୁ ଠାକୁର, ଶ୍ରୀପଦ ୟେସୋ ନାୟକ, ମନ୍ତ୍ରୀ ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପାରାଦୀପ ପୋର୍ଟ ଚେୟାରମ୍ୟାନ ପିଏଲ୍‌ ହାରାନାଧ ଉପସ୍ଥିତ ଥିଲେ। ପାରାଦୀପରେ କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରିଥିଲେ।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Jagatsinghpur Paradeep Port