Advertisment

ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ସ୍ନାନମଣ୍ଡପରେ ମହାପ୍ରଭୁ ଦିବ୍ୟସ୍ନାନ କରିବା ପରେ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

author-image
Jitendra Garnayak
Puri Temple

Puri Temple

ଶନିବାର ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା। ତେବେ ତା’ପୂର୍ବରୁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସହିତ ଅନ୍ୟାନ୍ୟ ନୀତିକାନ୍ତି। ସେଥିପାଇଁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟାରୁ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଁସିଆମାନେ ଆଜି ରତ୍ନ ସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ଏହି ସମସ୍ତ ନୀତି ପାଇଁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

ସ୍ନାନମଣ୍ଡପରେ ମହାପ୍ରଭୁ ଦିବ୍ୟସ୍ନାନ କରିବା ପରେ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ  ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତି ଚାଲିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ କାର୍ଯ୍ୟ ଅନୁକୂଳ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ନିର୍ମାଣ ଜାରି ରହିଥାଏ। ସୋଲ, ଜରି, ଜମ୍ବୁରା, କଦଳୀପଟ ଓ କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗରମାନେ ମନଲୋଭା ହାତୀବେଶ ପ୍ରସ୍ତୁତ କରିଥା’ନ୍ତି। ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଡାଳି, କାନ, ଥୋଡ଼ ଓ ହାଣ୍ଡିଆ ରହିଛି।

Advertisment

ଶନିବାର ସ୍ନାନପୂର୍ଣ୍ଣିମା ପଡୁଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

Puri Shreemandir Puri Temple