ଅଯୋଧ୍ୟାରେ ନୂଆ ଯୁଗର ଅୟମାରମ୍ଭ। ଆରମ୍ଭ ହେଲା ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଛି। ସେପଟେ ବିଭିନ୍ନ ରାଜ୍ୟରୁ ଅଯୋଧ୍ୟାକୁ ଆସିବାରେ ଲାଗିଛି ବିଭିନ୍ନ ଉପାହର ଓ ଭୋଗ ସାମଗ୍ରୀ। ଆସନ୍ତା ୨୨ ତାରିଖରୁ ଶୁଭ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା ଥିବା ବେଳେ, ତା ପୂର୍ବରୁ ରାମମୟ ହୋଇଛି ଅଯୋଧ୍ୟାର ଗଗନ ପବନ, ଅଯୋଧ୍ୟାବାସୀଙ୍କ ମନପ୍ରାଣ।
ସଂଗୀତରେ ରାମ, ଭଜନ-କୀର୍ତ୍ତନରେ ରାମ, ସରଜୁ ତଟରେ ରାମ, ଦୀପରେ ଦୀପରେ ରାମ। ଆଉ ୫ଦିନ ପରେ ନୂଆ ମନ୍ଦିରରେ ନୂଆ ରୂପରେ ଦର୍ଶନ ଦେବେ ପ୍ରଭୁ। ସେଥିପାଇଁ ଏବେ ରାମମୟ ଅଯୋଧ୍ୟାର ଗଗନପବନ। ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ଆଜିଠୁ ଆରମ୍ଭ ହୋଇଛି ଆଦ୍ୟପର୍ବ। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।
ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ, ସୁନା ଚଦର ଲାଗିଥିବା ବିରାଟ କବାଟ। ମନ୍ଦିର ତଳ ମହଲାରେ ମୋଟ ୧୪ଟି ସୁନାର କବାଟ ଲାଗିସାରିଛି। ସେପଟେ ସୁନ୍ଦର ରଙ୍ଗୋଲିରେ ସଜେଇ ହେଉଛି ଅଯୋଧ୍ୟାର ରାସ୍ତାଘାଟ। ପ୍ରାଣପ୍ରତିଷ୍ଠା ସମାରୋହରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ଲାଗି ଦିନରାତି ଏକ କରି ଚାଲିଛି ଥାଳି ଓ ଦନା ତିଆରି କାମ। ଶ୍ରଦ୍ଧାଳୁଙ୍କୁ ଶୀତରୁ ଆଶ୍ୱସ୍ତି ଦେବା ପାଇଁ ଲାଗିଛି ଆଉଟଡୋର ହିଟର। ସେପଟେ ଅଯୋଧ୍ୟାକୁ ଦୂରଦୂରାନ୍ତରୁ ଆସିବାରେ ଲାଗିଛି ଗୋଟିକ ପରେ ଗୋଟେ ଉପହାର ଓ ସୁସ୍ୱାଦୁ ଭୋଗ ସାମଗ୍ରୀ। ମଥୁରାରୁ ୧୦୦ କିଲୋ ଲଡ଼ୁ ଆସିଥିବା ବେଳେ, ଆଗ୍ରାରୁ ସୁସଜ୍ଜିତ ଗାଡ଼ିରେ ଆସିଛି ୫୬ ପ୍ରକାରର ପିଠା। ଗୁଜରାଟ ବରୋଦାରୁ ଆସିଥିବା ୧୦୮ ଫୁଟ୍ ଲମ୍ବା ସାଢ଼େ ୩ ଫୁଟ୍ ଚଉଡ଼ା ବିଶାଳ ଧୂପକାଠିରେ ଅଗ୍ନି ସଂଯୋଗ କରାଯାଇଛି।
ଗୋମୟ, ଘୃତ, ଅତର, ପୁଷ୍ପ ଓ ଔଷଧୀୟ ବୃକ୍ଷଜାତ ଦ୍ରବ୍ୟରେ ତିଆରି ସାଢ଼େ ୩ଟନରୁ ଅଧିକ ଓଜନର ଏହି ଧୂପକାଠିକୁ ଜଳାଇଛନ୍ତି ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ସଭାପତି ମହନ୍ତ ନିତ୍ୟଗୋପାଳ ଦାସ ମହାରାଜ। ଏହି ଧୂପକାଠିର ବାସ୍ନା କାଳେ ୫୦ କିଲୋମିଟର ଦୂର ଯାଏଁ ମହକିବ।
ଆସନ୍ତା ୨୨ ତାରିଖ ଦିନ ୧୨ଟା ୨୦ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ତେବେ ଏହି ସମାରୋହ ଏତେ ଭବ୍ୟ ହେବ ତାହା କେବେ ଭାବିନଥିଲି ବୋଲି କହିଛନ୍ତି ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣ ଟିଭି ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ଉପସ୍ଥିତ ଥିଲେ ସୀତା ଭୂମିକା ତୁଲାଇଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।