Advertisment

ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ୩ ରଥ

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର।

author-image
Manoranjan Sial
undefined

Puri

ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ପ୍ରସ୍ତୁତ। ପଥ ମଧ୍ୟ ପ୍ରସ୍ତୁତ। ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା। ସେଥିପାଇଁ ସଅଳ ନୀତିକାନ୍ତି ସହ ଶୃଙ୍ଖଳାର ସହ କେମିତି ରଥଯାତ୍ରା ସଂପନ୍ନ ହେବ ତା’ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।

Advertisment

ପଟିଦିଅଁଙ୍କଠାରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ପହଞ୍ଚିବା ପରେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନିଆଯାଇଥିଲା ସିଂହଦ୍ୱାର ସମ୍ମୁଖକୁ। ଡାହୁକ ବୋଲିରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଆଉ ତା’ପରେ ଶେଷରେ ତାଳଧ୍ୱଜ ରଥକୁ ଟାଣିନେଇଥିଲେ ସ୍ୱେଚ୍ଛାସେବୀ, ସେବାୟତଙ୍କ ସହ ସୁରକ୍ଷାବାହିନୀ।

ସେପଟେ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ। କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ। ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ତେଣୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ। ଏହାପରେ ୪ ଟାରେ ଛେରାପହଁରା ଓ ଅପରାହ୍ନ ୫ ଟାରେ ରଥ ଟାଣିବାକୁ ନିର୍ଘଣ୍ଟ ହୋଇଛି ନୀତି।

Advertisment

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୁଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା। କାରଣ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ। ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତା’ସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ୱରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କମ୍ପାନୀ ଏସଓଜି।

ସେହିପରି ଆଜି ରାତିରୁ ଲାଗୁ ହେବ ଟ୍ରାଫିକ କଟକଣା। ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଓ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି।

ରାତି ପାହିଲେ ରଥଯାତ୍ରା। ତା’ପୂର୍ବରୁ ଆଜି ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂଦେଓ।

Ratha Yatra Puri Shreemandir Sri Jagannath Lord Jagannath