Advertisment

ରଥଯାତ୍ରା ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ

ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବ। ପହଣ୍ଡି ଟିକେଟ୍‌ ହେବନି।

author-image
Jitendra Garnayak
ଅଦ୍ୟତନ ହୋଇଛି
Puri Temple

Puri Temple

ଆଗାମୀ ରଥଯାତ୍ରା ନୀତିକାନ୍ତିକୁ ଶୃଙ୍ଖଳିତ କରିବା ନେଇ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଥିବା ନୀତି ନିର୍ଘଣ୍ଟକୁ ମୋହର ଲଗାଯାଇଥିଲା। ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ।

Advertisment

ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟ୍ଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ୬ ତାରିଖ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ ରେ ଅନୁଷ୍ଠିତ ହେବ। ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ।

ଜୁଲାଇ ୭ ତାରିଖ ରାତ୍ର ୨ଟାରେ ମଙ୍ଗଳ ଆଳତି ପରେ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୭ଟା ୩୦ ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା ଓ ୧ଟାରେ ମଙ୍ଗଳାର୍ପଣ ହେବ। ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରଥଟଣା ବନ୍ଦ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ରଥ ଉପରେ ହେବ। 

Advertisment

ଅନ୍ୟପକ୍ଷରେ ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବ। ପହଣ୍ଡି ଟିକେଟ୍‌ ହେବନି। ସେହିଭଳି ଶ୍ରୀମନ୍ଦିରରେ ପ୍ରବେଶକୁ ମନା କରାଯାଇଛି। ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା ଯାତ୍ରା ଏକାଠି ପଡ଼ୁଥିବାରୁ ଓ  ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। 

Ratha Yatra Puri Ratha Yatra