Advertisment

ଘନଶ୍ୟାମଙ୍କ ହାତର ଚାତୁରୀ; ବାନ୍ଧକଳାରେ ତିଆରି କଲେ ଜଗନ୍ନାଥ

ହସ୍ତଶିଳ୍ପ ଓ ବାନ୍ଧକଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର ଜିଲ୍ଲା। ଏଠାରେ ଥିବା ବାନ୍ଧଶିଳ୍ପୀଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା।

author-image
Manoranjan Sial
Bandhakala

Bandhakala

ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଘନଶ୍ୟାମ ମେହେରଙ୍କ ହାତର ଚାତୁରୀ। ରଥଯାତ୍ରା ପାଇଁ ବାନ୍ଧକଳାରେ ତିଆରି କରିଛନ୍ତି ଶ୍ରୀଜୀଉ। ଅତି ସୁକ୍ଷ୍ମ ସୂତାକୁ ବ୍ୟବହାର କରିଛନ୍ତି ୱାଲ୍‌ ହେଙ୍ଗିଙ୍ଗ ତିଆରି କରିଛନ୍ତି। ଯେଉଁଥିରେ ମହାପ୍ରଭୁ ବଳଭଦ୍ର, ଦେବି ସୁଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାନୀତ କରିଛନ୍ତି। ଘନଶ୍ୟାମ ପୂର୍ବରୁ ଏମିତି କାରୁକାର୍ଯ୍ୟ କରି ବହୁବାର ପୁରସ୍କୃତ ହୋଇଛନ୍ତି।

Advertisment

ରଥଯାତ୍ରା ପାଇଁ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ବାନ୍ଧଶିଳ୍ପୀ ଘନଶ୍ୟାମ ମେହେର। ଗ୍ରାଫିକ୍‌ ପ୍ରସ୍ତୁତ କରିବା ପାଇଁ ୮ ଦିନ ଲାଗିଥିଲା। ଆଉ ବାନ୍ଧ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଶୁକ୍ରବାର ସନ୍ଧ୍ୟାରେ ବାନ୍ଧକଳା ୱାଲ୍‌ ହେଙ୍ଗିଙ୍ଗ ତିଆରି କାର୍ଯ୍ୟ ସରିଛି ବୋଲି ଶ୍ରୀ ମେହେର କହିଛନ୍ତି। ଯେଉଁଥିରେ ଶ୍ରୀଜୀଉଙ୍କ ପ୍ରତିଛବି ବିଦ୍ୟମାନ ହୋଇଛି। ଏଥିରେ ବିଶେଷତଃ ୬୦ରୁ ୮୦ ନମ୍ବର ସୂତାରେ ବାନ୍ଧ କାମ ହୋଇଥିବା ବେଳେ ୧୨୦ ଓ ୧୪୦ ନମ୍ବର ଅତି ସୁକ୍ଷ୍ମ ସୂତାର ବ୍ୟବହାର କରିଛନ୍ତି। ଏହି ୱାଲ୍‌ ହେଙ୍ଗିଙ୍ଗରେ ଲାଲ, ମେହେନ୍ଦି, ମଷ୍ଟଡ, ସବୁଜ ନୀଳ, ଧଳା, କଳା, ସୁନେଲୀ, ସବୁଜ ଓ ଧୂଷର ଭଳି ୯ଟି ରଙ୍ଗର ବ୍ୟବହାର ହୋଇଛି। ଗ୍ରାଫ, ବାନ୍ଧ ଓ ବୁଣାକାର୍ଯ୍ୟ ଭଳି ସମ୍ପୂର୍ଣ୍ଣ କାର୍ଯ୍ୟ କରିବାକୁ ୪ ମାସ ସମୟ ଲାଗିଥିଲା ବୋଲି ଶ୍ରୀ ମେହେର କହିଛନ୍ତି।

ସେପଟେ ଦେଖିବାକୁ ଗଲେ ହସ୍ତଶିଳ୍ପ ଓ ବାନ୍ଧକଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର ଜିଲ୍ଲା। ଏଠାରେ ଥିବା ବାନ୍ଧଶିଳ୍ପୀଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା। ବନ୍ଧାକଳାକୁ ନେଇ ସବୁବେଳେ ଭିନ୍ନ କିଛି କରି ରେକର୍ଡ କରିବାର ନିଶା ରଖୁଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଟିକିରାପଡାର ଯୁବ ବାନ୍ଧଶିଳ୍ପୀ ଘନଶ୍ୟାମ ମେହେର ପୁଣି ଥରେ ଦେଖାଇଛନ୍ତି ତାଙ୍କ ହାତର ଯାଦୁଗରୀ। ପୂର୍ବରୁ ୨୦୧୫ ମସିହାରେ ୮୨ ହଜାର ପ୍ରକାରର ଶଙ୍ଖଚିହ୍ନ ଗ୍ରାଫ ଡିଜାଇନ କରି ଲିମକା ବୁକ୍‌ ଅଫ୍‌ ରେକର୍ଡ କରି ଚର୍ଚ୍ଚାକୁ ଆସିଥିଲେ ଘନଶ୍ୟାମ। ପରେ ପରେ ପୁଣିଥରେ ୧୬୩୨ ପ୍ରକାର ଓଁ ଗ୍ରାଫ୍‌ ଡିଜାଇନ୍‌ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲେ।

Advertisment

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Subarnpur Bandhakala