ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ ଓ ଦୁଇମନ୍ତ୍ରୀ

ଚଳିତବର୍ଷ ରଥଯାତ୍ରାରେ ଆଡ଼ପମଣ୍ଡପକୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡିବେଳେ ଅଘଟଣ ଘଟିଥିଲା । ଶ୍ରୀବଳଭଦ୍ର ମୁହଁ ମାଡ଼ି ପଡ଼ିଯିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।

ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

  • Published: Saturday, 13 July 2024
  • , Updated: 13 July 2024, 09:51 PM IST

ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବିଜେ ବେଳେ ଅଘଟଣକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଆସନ୍ତାକାଲିଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁରୀରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରାର ଅବଶିଷ୍ଟ ରୀତନୀତି ଯେଭଳି ଶୃଙ୍ଖଳିତ ହେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ଶ୍ରୀ ମାଝୀ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଶ୍ରୀକ୍ଷେତ୍ରରେ ତିନିଠାକୁରଙ୍କ ନୀଳାଦ୍ରି ବିଜେ ସରିବା ପର୍ଯ୍ୟନ୍ତ ପୁରୀଠାରେ ସକ୍ରିୟ ଭାବେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତିକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଯେପରି କୌଣସି ଅସୁବିଧା ନହେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି ।

ଚଳିତବର୍ଷ ରଥଯାତ୍ରାରେ ଆଡ଼ପମଣ୍ଡପକୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡିବେଳେ ଅଘଟଣ ଘଟିଥିଲା । ଶ୍ରୀବଳଭଦ୍ର ମୁହଁ ମାଡ଼ି ପଡ଼ିଯିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ଆଇଏଏସ୍ ବୀରବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦ ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଦୁଇ ମନ୍ତ୍ରୀଙ୍କୁ ଆସନ୍ତାକାଲି ପୁରୀ ଯାଇ ସେଠାରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Related story