Advertisment

ଜନ୍ମବେଦିରେ ବି ରାତି ଅନିଦ୍ରା ଚତୁର୍ଦ୍ଧାମୂରତି, ପ୍ରଶାସନିକ ଦାୟିତ୍ୱହୀନତା ସୀମା ଲଂଘିଲା

ଦୁଇ ରାତି ହେଲା ଠିକ୍‌ରେ ଠାକୁରମାନେ ଶୋଇ ନଥିବାବେଳେ ଗତକାଲି ହେରାପଞ୍ଚମୀ ନୀତି ବିଳମ୍ବ ସବୁ ସୀମା ଡେଇଁ ଯାଇଛି।

Laxmi breaks the chariot of her husband

Laxmi breaks the chariot of her husband

Advertisment

ଜନ୍ମବେଦିରେ ବି ରାତି ଅନିଦ୍ରା ଚତୁର୍ଦ୍ଧାମୂରତି। ନୀତିକାନ୍ତିରେ ଘୋର ବିଶୃଙ୍ଖଳା। ସେବକ ଲଗାମହୀନ, ଦାୟିତ୍ୱହୀନ ପ୍ରଶାସନ। ଶ୍ରୀମନ୍ଦିର ଭଳି ଗୁଣ୍ଡିଚା ଘରେ ବି ମହାପ୍ରଭୁଙ୍କ ନୀତିକାନ୍ତିରେ ଘୋର ବିଭ୍ରାଟ। ଦୁଇ ରାତି ହେଲା ଠିକ୍‌ରେ ଠାକୁରମାନେ ଶୋଇ ନଥିବାବେଳେ ଗତକାଲି ହେରାପଞ୍ଚମୀ ନୀତି ବିଳମ୍ବ ସବୁ ସୀମା ଡେଇଁ ଯାଇଛି। ମହାଲକ୍ଷ୍ମୀ ରଥ ଭାଙ୍ଗି ଶ୍ରୀମନ୍ଦିର ଫେରିବା ବେଳକୁ ସକାଳ ପାହି ଯାଇଛି। ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ନୀତି ପ୍ରଶାସକ ପ୍ରତିକ୍ରିୟା ଦେବା ବେଳକୁ ପାଟି ଅଠା ବାନ୍ଧି ଯାଉଛି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନଦେଇ ଖସି ଯିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏଥିପାଇଁ ସିଧା ପ୍ରଶାସନକୁ ଦାୟୀ କରି କ୍ଷୋଭ ପ୍ରକାଶ କରିଛନ୍ତି ପୁଷ୍ପାଳକ ସେବାୟତ। 

Advertisment

ଗତକାଲି ଥିଲା ଅନନ୍ୟ ହେରାପଞ୍ଚମୀ ନୀତି। ମହାପ୍ରଭୁ ଜଗନ୍ନାଥ, ରଥଯାତ୍ରାରେ ସାଙ୍ଗରେ ଆଣିନଥିବାରୁ କୋପ କରିଥିବା ପତ୍ନୀ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି ସେଠି ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି। ଯାହାକୁ ଭକ୍ତମାନେ ଚର୍ମଚକ୍ଷୁରେ ପ୍ରତିବର୍ଷ ଦର୍ଶନ କରିଥାନ୍ତି। ହେଲେ ସେ ନୀତିରେ କିନ୍ତୁ ଗତକାଲି ଘଟିଥିଲା ଅହେତୁକ ବିଳମ୍ବ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପୂଜା ବେଳକୁ ବାଜି ଯାଇଥିଲା ଆଜି ଭୋର ୪ଟା ୧୫। ସେପଟେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ରାତି ୩ଟାରେ ବାହାରି, ଗୁଣ୍ଡିଚା ମନ୍ଦିର ଆଗରେ ରଥଭଙ୍ଗା ନୀତି ସାରି ଫେରିଲା ବେଳକୁ ଭୋର ସାଢ଼େ ୫ଟା ବାଜି ଯାଇଥିଲା।

ଦଇତାପତି ସେବକ ନବକିଶୋର ପତିମହାପାତ୍ର କହିଛନ୍ତି, ନୀତି ବିଳମ୍ୱ କରାଯାଉଥିବାରୁ ଆଜି ସକାଳେ ଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା ନୀତି ସମାପନ ହୋଇଛି। ଏହା ଦୁଃଖର ବିଷୟ, ଏପରି ହେବାକଥା ନୁହେଁ।

Advertisment

ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ। ସେମିତି ରୋଷହୋମ ସକାଳ ୧୦ଟା ୪୫, ସୂର୍ଯ୍ୟପୂଜା ୧୧ଟା ୨୫ ଓ ସକାଳ ଧୂପ ସରିବାବେଳକୁ ଦିନ ଗୋଟାଏ ୨୦ ମିନିଟ୍ ବାଜିଗଲା। ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଆଜି ରଥ ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ବିଜେ ବେଳକୁ ଅପରାହ୍ନ ୨ଟା ୧୫ ହୋଇଥିଲା। ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇଛନ୍ତି।

ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ମହାପ୍ରଭୁ ନୀତି ପରିଚାଳନାରେ ପ୍ରଶାସନ ଫେଲ୍ ମାରିଛି। ଯଦି ଜଗନ୍ନାଥଙ୍କ ଇଚ୍ଛାରେ ସବୁ ହେଉଥାଆନ୍ତା ତେବେ ଏତେ ସଂଖ୍ୟକ ପ୍ରଶାସକ, ପୁଲିସ ଛାଉଣୀ, ସୁରକ୍ଷା ବ୍ୟବସ୍ଥା କ’ଣ ଆବଶ୍ୟକ ରହିଛି। ଦାୟିତ୍ୱ ହୁଡ଼ୁଥିବା ପ୍ରଶାସକମାନେ କାମ ଠିକ୍‌ ଭାବେ କରୁ ନ ଥିବା ଏହା ଦର୍ଶାଉଛି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୀତି କରାଯାଉଥିବାରୁ ଏଭଳି ବିଳମ୍ୱ ହୋଇଥିବା କହି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରୁ ଖସି ଯାଇଛନ୍ତି।

ଏଣେ ବିଳମ୍ବିତ ନୀତିକାନ୍ତି ଭିତରେ ଆଜି ହୋଇଛି ତିନି ରଥର ଦକ୍ଷିଣ ମୋଡ଼। ପରଂପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ରଥତ୍ରୟଙ୍କୁ ଭାବ ଓ ଭକ୍ତିର ସହ ଭକ୍ତମାନେ ଟାଣି ନାକଚଣା ଦ୍ୱାର ଆଗରେ ରଖିଛନ୍ତି। ତାସହ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି।

Ratha Yatra Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe