Advertisment

ପୁଲିସ ଦାୟିତ୍ୱହୀନତା: ସକାଳୁ ଖାଡ଼ା ଉପାସ ରହିଛନ୍ତି ମହାପ୍ରଭୁ

ଗତକାଲି ମହାପ୍ରଭୁ ରଥରେ ବସିବା ପୂର୍ବରୁ ଯାହା କିଛି ଖାଇକି ଆସିଥିଲେ। ସେବେଠୁ ଏଯାଏଁ କିଛି ବି ଖାଇ ନାହାନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Lord SriJagannath

Lord SriJagannath

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥା ରୁଢ଼ ଠାକୁରଙ୍କ ନୀତି କରିବାରେ ଚାଲିଛି ମନମାନି। ସକାଳୁ ଏଯାଏଁ ଖାଡ଼ା ଉପାସ ଚତୁର୍ଦ୍ଧାମୂର୍ତ୍ତି। ପୁଲିସ ବିଭାଗ ଓ ଏହାର ଅଧିକାରୀଙ୍କ ମନମାନି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟାରୁ ୧୧ଟା ଭିତରେ ସକାଳ ଭୋଗ ବା ବଲ୍ଲଭ ଭୋଗ ଠାକୁରଙ୍କ ପାଖରେ ହେବା କଥା। ହେଲେ ତାହା ହୋଇପାରିନି।

Advertisment

ସୂଚନା ମୁତାବକ, ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀବଳଭଦ୍ରଙ୍କର ଓ ବାଟରେ ଅଟକି ରହିଥିବା ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ପୂଜା ସକାଳ ୮ଟା ୫ ସୁଦ୍ଧା ସରିଥିଲା। ଏହାପରେ ବଲ୍ଲଭ ଭୋଗ ହେବା କଥା। ହେଲେ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ବଲ୍ଲଭ ଭୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ତେଣୁ ବଡ଼ଶଙ୍ଖ ଠାରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଭିଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୦.୨୫ରେ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ୧୦.୩୫ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ଏହାପରେ ଠାକୁରଙ୍କ ବଲ୍ଲଭ ଭୋଗ କରିବା ନିମନ୍ତେ ଜେଟିପି ସମ୍ପୃକ୍ତ ସେବକଙ୍କୁ ଆଣିବାକୁ ଯାଇଥିଲେ।

ହେଲେ ବଲ୍ଲଭ ଭୋଗରେ ସମ୍ପୃକ୍ତ ସେବକଙ୍କୁ ନେଇ ଆସିବା ବେଳେ ମାର୍କେଟ ଛକ ଓ ବଡ଼ଶଙ୍ଖ ଛକରେ ପୁଲିସ ବାଧକ ସାଜିଥିଲା। ଡ୍ରେସ୍‌ କୋର୍ଡ ଓ ପାସ୍ ଥିଲେ ହେଁ ଜେଟିପି କିମ୍ବା ସେବକଙ୍କୁ ଛାଡ଼ି ନଥିଲେ ଉପସ୍ଥିତ ପୁଲିସ ଅଧିକାରୀମାନେ। ତେଣୁ ପୁଲିସ କରିଥିବା ଏହି ବ୍ୟାରିକେଟ ଠାରୁ ହିଁ ଜେଟିପି ଓ ସେବକମାନେ ଘରକୁ ଫେରି ଯାଇଥିଲେ।  ତେଣୁ ଠାକୁରଙ୍କ ପାଖରେ ବଲ୍ଲଭ ଭୋଗ ହୋଇପାରି ନାହିଁ ଓ ଠାକୁର ରଥ ଉପରେ ଉପବାସ ରହିଛନ୍ତି।

Advertisment

ଗତକାଲି ମହାପ୍ରଭୁ ରଥରେ ବସିବା ପୂର୍ବରୁ ଖାହାକିଛି ଖାଇକି ଆସିଥିଲେ। ସେବେଠୁ ଏଯାଏଁ କିଛି ବି ଖାଇ ନାହାନ୍ତି। ରଥ ଟଣା ସରିବା ପରେ ଅଫିସରମାନେ ଘରକୁ ଚାଲି ଯାଇଥିଲେ। ଏବାବଦରେ ଉପଯୁକ୍ତି ଦୃଷ୍ଟି ଦେଇ ନ ଥିଲେ। ତେବେ ଶେଷ ଖବର ସୁଦ୍ଧ ପୁରୀ ଉପଜିଲ୍ଲାପାଳ ଠାକୁରଙ୍କ ନୀତିକୁ ଆଗେଇ ନେବା ନିମନ୍ତେ ସେବାୟତ ଓ ପୁଲିସ ଅଧିକାରୀ ଭିତରେ ସମନ୍ୱୟ ରକ୍ଷା ନିମନ୍ତେ ଆଲୋଚନା କରୁଥିବା ଜଣାପଡ଼ିଛି।

Ratha Yatra Puri Lord Jagannath Ratha Jatra 2023