Advertisment

କାଲି ସକାଳ ୯ଟାରୁ ରଥ ଭିଡ଼ା, ସଂସ୍କୃତି ଗବେଷକ କହିଲେ- ଶାସ୍ତ୍ରୀୟ ମତକୁ ପାଳନ କରୁନି ପ୍ରଶାସନ

ଆଜି ରଥଟଣାରେ ମୁଖ୍ୟ ବାଧକ ସାଜିଥିଲା ରଥ ଠିକ୍‌ ଭାବେ ମୋଡ଼ ନେଇ ନ ପାରିବା।

author-image
Niranjan Mishra
Lord SriJagannath

Lord SriJagannath

ଶରଧାବାଲିରେ ଲାଗିଛି ତାଳଧ୍ୱଜ। ବାଟରେ ଅକଟି ରହିଛି ଦେବଦଳନ ଓ ନନ୍ଦିଘୋଷ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି ଏହି ୨ ରଥ। ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଠାକୁରଙ୍କ ଅବକାଶ ପର୍ଯ୍ୟନ୍ତ ଦୈନ ଦିନ ନୀତି ସରିବା ପରେ କାଲି ସକାଳ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ଏଥିସହ ସେ କହିଛନ୍ତି କାଲି ପହଣ୍ଡି ହୋଇପାରିବନି। ରଥରେ ମହାପ୍ରଭୁ ଦର୍ଶନ ଦେବେ।

Advertisment

ସେପଟେ ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।

ଆଜି ରଥଟଣାରେ ମୁଖ୍ୟ ବାଧକ ସାଜିଥିଲା ରଥ ଠିକ୍‌ ଭାବେ ମୋଡ଼ ନେଇ ନ ପାରିବା। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୩ କିମି ରାସ୍ତାରେ ୩ଟି ପ୍ରମୁଖ ମୋଡ଼ ରହିଥାଏ। ତେବେ ରଥ ଉପରେ ଧାର୍ଯ୍ୟ ଠାରୁ ଅଧିକ ସେବାୟତ ରହିବାରୁ ରଥ ମୋଡ଼ ନେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ତେଣୁ ସନ୍ଧ୍ୟା ପୂର୍ବରୁ କୌଣସି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରି ନ ଥିଲା। ଅନ୍ଧାର ହୋଇଯାଇଥିଲେ ହେଁ ଅଳ୍ପ ଆଲୁଅ ଭିତରେ ପ୍ରଶାସନିକ ଅଧିକାରୀ, ପୁଲିସ ଟିମ୍‌ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ି ନେଇ ଲଗାଇ ଦେଇଥିଲେ। ସେହିପରି ଶ୍ରୀସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମଧ୍ୟ ଅଳ୍ପ ଲାଇଟ୍‌ ବ୍ୟବସ୍ଥା ଭିତରେ କିଛି ବାଟ ଗଡ଼ିଥିଲା। ସେବାୟତମାନେ ସନ୍ଧ୍ୟା ପରେ ରଥ ନଟାଣିବାକୁ କହିବାରୁ ଦର୍ପଦଳନ ବଡ଼ଶଙ୍ଖ ଛକ ପାଖରେ ଅଟକିଥିଲା। ଏଥିସହ ଶେଷରେ ଗହଳି ଲଗାଇ ଆସୁଥିବା ନନ୍ଦିଘୋଷ ମାଉସୀ ମା’ ମନ୍ଦିର ନିକଟରେ ଅଟକି ଥିଲା।

Advertisment

ରଥ ଉପରେ ଠାକୁରଙ୍କ ଆଗରେ ଓ ପାର୍ଶ୍ୱରେ ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ମଧ୍ୟ ରଥଟଣା ବେଳେ ଶ୍ରଦ୍ଧାଳୁ ଠାକୁରଙ୍କୁ ଭଲଭାବେ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ସ୍ୱୀକାର କରିବା ସହ ସେବାୟତଙ୍କୁ ଏଭଳି ନ କରିବାକୁ ବାରଣ କରାଯାଇଥିବା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି।

ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମନୋଜ ରଥ କହିଛନ୍ତି, ସ୍କନ୍ଦ ପୁରାଣ ମୁତାବକ ସନ୍ଧ୍ୟା ହେଲେ ମଧ୍ୟ ହଜାର ହଜାର ମସାଲ ଲଗାଇ ଉଜ୍ୱଳ ଅଲୋକ ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣିନେବାକୁ ଓ ମସାଲ ଜଳାଇ ଠାକୁରଙ୍କୁ ପହଣ୍ଡି କରି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରାଇବାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ମାତ୍ର ଶାସ୍ତ୍ରୀୟ ମତକୁ ନ ମାନି ବହୁବର୍ଷ ଧରି ଗଡ଼ି ଆସିଥିବା ବ୍ୟବସ୍ଥାକୁ ପ୍ରଶାସନ ପାଳନ କରିବା ପରିତାପର ବିଷୟ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ହଜାରହଜାର ଅଲୋକର ବ୍ୟବସ୍ଥା କରି ପ୍ରଶାସନ ରଥ ଭିଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଲଗାଇବା ସହ ପ୍ରଥମ ଦିନ ହିଁ ଠାକୁରମାନଙ୍କୁ ଆଡ଼ପ ମଣ୍ଡପକୁ ପହଣ୍ଡି କରି ନେବା କଥା। ହେଲେ ଏହାକୁ ପାଳନ କରାଯାଉନି। ପ୍ରଶାସନିକ ଦାୟିତ୍ୱହୀନତା ଏହାର କାରଣ ହୋଇଛି।

Ratha Yatra Puri Lord Jagannath Puri Ratha Yatra