Advertisment

ଆଜି ଅଣସର ତ୍ରୟୋଦଶୀ; ମହାପ୍ରଭୁଙ୍କ ଘଣାଲାଗି ଓ ଖଳିଲାଗି ନୀତି ସମ୍ପନ୍ନ

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ବୁଧବାର ଅଣସରର ଦ୍ୱାଦଶୀ ତିଥିରେ ଦଇତା ଓ ପତିମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ।

Puri

Puri

Advertisment

ଆଜି ହେଉଛି ଆଷାଢ ଶୁକ୍ଳ ତ୍ରୟୋଦଶୀ ବା ଅଣସରର ତ୍ରୟୋଦଶୀ ତିଥି। ଏହି ତିଥିରେ ମହାପ୍ରଭୁଙ୍କୁ ଘଣା ଓ ଖଳି ଲାଗି ନୀତି ହୋଇଛି। ଘଣ୍ଟ, ଛତ୍ରୀ ଓ କାହାଳୀ ସହ ଖଳି ପ୍ରସାଦ ସୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ସେପଟେ ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ଆଜି ଟାଉନ ଥାନା ପରିସରରେ ପ୍ରଶାସନ ପକ୍ଷରୁ ମକଡ୍ରିଲ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ଦୁଇଦିନ ଅନୁଷ୍ଠିତ ହେବାକୁ ଥିବାରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲ୍ଲାପାଳ କହିଛନ୍ତି।

Advertisment

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ବୁଧବାର ଅଣସରର ଦ୍ୱାଦଶୀ ତିଥିରେ ଦଇତା ଓ ପତିମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ। ଏହାସହ ରଥଯାତ୍ରାର ସୁପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ। ଆଜି ଅଣସର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣାଲାଗି ଓ ଖଳି ପ୍ରସାଦ ଲାଗି ହୋଇଥିଲା। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥିଲା। ଘଣ୍ଟ , ଛତ୍ରୀ, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏଥିସହ ଶ୍ରୀଜୀଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି।

ଗୋଟିଏ ପଟେ ମହାପ୍ରଭୁ ସୁସ୍ଥ ହୋଇ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀମନ୍ଦିରରେ ଦଇତାପତି ସେବାୟତମାନେ ବେଶ ନିଷ୍ଠାର ସହ ସମସ୍ତ କାର୍ଯ୍ୟ ଚଳାଇଛନ୍ତି। ତେବେ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥିଲେ। ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବା ପରେ ବିଜେ କାହାଳୀ ବାଜିଥିଲା। ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିଥିଲା।

Advertisment

ଏପଟେ ରଥଯାତ୍ରାକୁ ନେଇ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଦୁଇଦିନ ରଥଯାତ୍ରା ପଡୁଥିବାରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଚଳିତବର୍ଷ ରଥଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ଏଣୁ ଆଜି ପୁରୀ ଟାଉନ ଥାନାଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସହ ମକଡ୍ରିଲ କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପୁର୍ଣ୍ଣ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରଖାଯାଇ ଏହି ମକଡ୍ରିଲ୍‌ କରାଯାଇଛି।

ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍‌ଠାରେ ରଥଯାତ୍ରା ନେଇ ମକଡ୍ରିଲ୍ ହୋଇଥିଲା। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୁଲିସ, ପରିବହନ, ଆମ୍ବୁଲାନ୍ସ, ସ୍ୱଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲ୍‌ରେ ସାମିଲ୍‌ ହୋଇଥିଲେ। ମକଡ୍ରିଲ୍‌ରେ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ରହିଥିଲେ। ଲକ୍ଷାଧିକ ଭକ୍ତଙ୍କ ଭିଡ ଭିତରେ କୌଣସି ଭକ୍ତ ଗୁରୁତର ହେଲେ ତାଙ୍କୁ କିଭଳି ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବ, ସେନେଇ ମଧ୍ୟ ମକଡ୍ରିଲ୍ କରାଯିବ। ଦଳାଚକଟା ହେଉ କିମ୍ବା ଭିଡ ଭିତରେ ଭକ୍ତମାନେ ଅଣନିଶ୍ୱଆସୀ ହୁଅନ୍ତୁ ସେନେଇ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯିବ ସେନେଇ ଅଭ୍ୟାସ ଆରମ୍ଭ ହୋଇଛି। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଭଳି ତୁରନ୍ତ ମୁକାବିଲା କରିହେବ ସେନେଇ ଓଡ୍ରାଫ, ଏନଡିଆରଏଫ ଟିମ୍ ,ସିଭିଲ ଡିଫେନସ ଟିମ୍ ଓ ସ୍ୱେଚ୍ଛାସେବୀମାନଙ୍କ ତରଫରୁ ମକ ଡ୍ରିଲ ଡେମୋ କରାଯାଇଛି।

Ratha Yatra Puri Shreemandir Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe