Advertisment

ରତ୍ନଭଣ୍ଡାର ଯାଞ୍ଚ: ପୁରୁଣା କମିଟି ଭାଙ୍ଗିଲା, ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର ।

author-image
Ordigital Desk
ଅଦ୍ୟତନ ହୋଇଛି
Justice Biswanath Rath

Justice Biswanath Rath

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟ ସରକାର ଗତକାଲି ପୁରୁଣା କମିଟିକୁ ଭାଙ୍ଗି ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର ।

Advertisment

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ହେବାକୁ ଥିବା ବୈଠକରେ ଯୋଗ ଦେବାକୁ  ଓଡ଼ିଶା ଆସିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତ । ମାତ୍ର ଏହାପୂର୍ବରୁ ସରକାର ଏହି କମିଟିକୁ ଭଙ୍ଗ କରିଦେଇଛନ୍ତି ।

ଆଇନ ବିଭାଗ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଅଳଙ୍କାର ଗଣନାର ତଦାରଖ ପାଇଁ ୨୦୨୪ ମାର୍ଚ୍ଚ ୨ତାରିଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି । ଏହି କମିଟି ପରିବର୍ତ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ହେବାକୁ ଥିବା ରତ୍ନଭଣ୍ଡାରର ଗଣନା ଆଦିର ତଦାରଖ କରିବେ ।

Advertisment

ନୂଆ କମିଟିରେ ସଦସ୍ୟ ଭାବେ ଡାକ୍ତର ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପ୍ରତ୍ନତତ୍ତ୍ୱ ବିଭାଗର ପ୍ରତିନିଧି, ମଧୁସୂଦନ ସିଂଘାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ସାମିଲ କରାଯାଇଛି ।

ନୂଆ କମିଟି ଗଠନ ହେବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ୧୯୭୮ ମସିହା ପରେ ରତ୍ନ ଭଣ୍ଡାର ପୁଣି ଖୋଲିବାକୁ ଯାଉଛି, ତେଣୁ ମହାପ୍ରଭୁଙ୍କ ଆର୍ଶୀବାଦ ଆବଶ୍ୟକ। ଆସନ୍ତାକାଲି ଏନେଇ ବୈଠକ ବସିବ, କିପରି ରତ୍ନ ଭଣ୍ଡାର ଖୋଲାଯିବ, କଣ ପଦକ୍ଷେପ ନିଆଯିବ ତାକୁ ନେଇ ନିଷ୍ପତ୍ତି ହେବ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ ବୋଲି କହିଛନ୍ତି ଜଷ୍ଟିସ୍ ରଥ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଦୋହରାଇଛନ୍ତି।

ଏହି କମିଟି ଗଠନ ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଗଠନ ହୋଇଛି । ଆସନ୍ତା ୬ତାରିଖରେ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରତ୍ନଭଣ୍ଡାର କେବେ ଖୋଲିବ ସେହି ବୈଠକରେ ସ୍ଥିର କରାଯିବ । ସବୁବର୍ଗର ଲୋକଙ୍କ ଅପେକ୍ଷା ରହିଛି । ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ । ଶେଷଥର ଲାଗି ୧୯୭୮ ମସିହାରେ ରତ୍ନ ଗଣତି ହୋଇଥିଲା । ରଥଯାତ୍ରା ପରେ ମନ୍ଦିର ଖାଲି ରହୁଥିବାରୁ ସେହି ସମୟ ପ୍ରକୃଷ୍ଟ । ଏହି ନୂଆ କମିଟି ଗଠନ ପୂର୍ବରୁ ଜଷ୍ଟିସ ପଶାୟତ କମିଟିକୁ ଭଙ୍ଗ କରାଯାଇଛି । 

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ସରକାର ୨୦୨୪ ମାର୍ଚ୍ଚ ୨ତାରିଖରେ ରତ୍ନଭଣ୍ଡାର ତଦାରଖ ପାଇଁ ଜଷ୍ଟିସ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ । ସେହି କମିଟିରେ ସଦସ୍ୟ ଭାବେ ଡାକ୍ତର ରମାକାନ୍ତ ପଣ୍ଡା, ଡଃ ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଂଟ ଏକେ ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି, ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର, ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସଦସ୍ୟ ରହିଥିଲେ ।

ରତ୍ନଭଣ୍ଡାର ଖୋଲିବା ପାଇଁ ବିଜେପି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ତାହାକୁ ପାଳନ କରିବା ନିମନ୍ତେ ତତ୍ପରତା ପ୍ରକାଶ କରିଛି।

Puri Ratna Bhandar