ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏହି ଅବସରରେ ମନ୍ଦିର ଭିତରକୁ VIPଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ କହିଛନ୍ତି, ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ବିଶେଷ କରି ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗୃହ ବିଭାଗର ପ୍ରସ୍ତୁତି ସଂପର୍କରେ ସେ ଅନୁଧ୍ୟାନ କରିବେ ।
ଆସନ୍ତା ୬ ରୁ ୯ ତାରିଖ ଯାଏ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ଅବସରରେ ରଥଯାତ୍ରା ଯାତ୍ରାରେ ସାମିଲ ହେବା ସହ ଭୁବନେଶ୍ୱରରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି।
୬ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ରାଷ୍ଟ୍ରପତି ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ୭ ତାରିଖରେ ପୁରୀ ଗସ୍ତରେ ଯିବେ। ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରଥଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ ଯିବେ ରାଷ୍ଟ୍ରପତି।ସେହିପରି ୮ ତାରିଖ ଅପରାହ୍ନରେ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବେ ରାଷ୍ଟ୍ରପତି। ୯ ତାରିଖ ପୂର୍ବାହ୍ନରେ ନାଇଜର୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ସମୟରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ସୁରୁଖୁରରେ ସମ୍ପାଦନ କରିବାକୁ ଜୋରଦାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।