Advertisment

ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ; ଆଜି ପୁଣି ହେବ ରଥ ଟଣା

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା ।

author-image
Tapaswini Nayak
ଅଦ୍ୟତନ ହୋଇଛି
Nandighosha Rath

Nandighosha Rath

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ। ରାଜନଅର ସମ୍ମୁଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଏଥିପାଇଁ ଲୋକାରଣ୍ୟ ହୋଇଛି ପୁରୀ ବଡ଼ଦାଣ୍ଡ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର। ପୁରୀରେ ଦେଶ ତଥା ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି।

Advertisment

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା ।

ଗତକାଲି ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟା ଆଗରୁ ଆରମ୍ଭ ହୋଇଯାଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା, ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ ଓ ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତର ଠାକୁର ଜଗନ୍ନାଥ। 

Advertisment

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

ଗଜପତିଙ୍କ ଛେରାପହଁରା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା।

Ratha Yatra Puri Shreemandir Puri