Advertisment

‘ସରକାର ଅନୁମତି ଦେଲେ ୧୪ରେ ଖୋଲିବ ରତ୍ନ ଭଣ୍ଡାର’

ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନ ଭଣ୍ଡାର। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ।

author-image
Niharika Rout
ଅଦ୍ୟତନ ହୋଇଛି
Justice Biswanath Rath

Justice Biswanath Rath

ରତ୍ନ ଭଣ୍ଡାର ଖୋଲିବା ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିପାରେ। ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନ ଭଣ୍ଡାର। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ।

Advertisment

ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଅନୁମତି ମିଳିବା ପରେ ଯେକୌଣସି ପ୍ରକାରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ।  ଆଜି ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବା ନିମନ୍ତେ ସ୍ଥିର ହୋଇଥିଲା। ମାତ୍ର ସେ ରଥ ଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ବୈଠକରେ ସାମିଲ ହୋଇ ପାରିଲେନି। ତେଣୁ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବୈଠକରେ ସେ ଚାବିକୁ କମିଟି ସମ୍ମୁଖରେ ଉପସ୍ଥାପନ କରିବେ। ତେବେ ଉକ୍ତ ଚାବି କାମ କରୁ ବା ନ କରୁ, ସରକାରଙ୍କ ଅନୁମତି ମିଳିଲେ ଉକ୍ତ ଦିନ ରତ୍ନ ଭଣ୍ଡାର ନିଶ୍ଚିତ ଭାବେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍‌ ରଥ ।

ଆଜି ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଛନ୍ତି ଜଷ୍ଟିସ ରଥ। ଉକ୍ତ ସମୟରେ ଠାକୁରଙ୍କ ରୀତିନୀତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବୁ। ଉକ୍ତ ଦିନ ଗଣତି ଆରମ୍ଭ କରାଯିବ। ତାହା କେବେ ସରିବ ତାହା ନିର୍ଦ୍ଧାରିତ ହୋଇନି। ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ରଥ। 

Advertisment

 ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେବେ ଭକ୍ତମାନେ ଏଥିରେ ସହଯୋଗ କରିବେ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଜଷ୍ଟିସ ରଥ ।

ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଗତ ୬ ତାରିଖରେ ଅନୁଷ୍ଠିତ ହୋଇଥିଲା।  ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାରର ତାଲା ଖୋଲା ଯାଇନାହିଁ। ତେଣୁ ଡୁପ୍ଲିକେଟ ଚାବିରେ ନ ଖୋଲେ, ତା’ହେଲେ ତାଲା ଭାଙ୍ଗି ରତ୍ନଭଣ୍ଡାର ଖୋଲାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପରେ ଆଜି ଦ୍ୱିତୀୟ ବୈଠକ ବସିଥିବା ବେଳେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି। 

ରତ୍ନ ଭଣ୍ଡାର ଯାଞ୍ଚ କମିଟିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଥିବା ୧୬ ଜଣ ବିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ପ୍ରଥମ ବୈଠକ ପରେ ଯାଞ୍ଚ କମିଟିର ସମସ୍ତ ସଦସ୍ୟ ଶାକାହାରୀ ହୋଇ ଯାଇଥିବା ଜଣାଯାଇଛି। 

ରତ୍ନଭଣ୍ଡାର ଖୋଲାଯିବା ନେଇ ଯାଞ୍ଚ କମିଟି ପକ୍ଷରୁ ୧୪ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିନିମନ୍ତେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଆସି ନ ଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିର ଡିଜିଟାଲ ରେଫରେନ୍ସ ଡକ୍ୟୁମେଣ୍ଟ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭବିଷ୍ୟତରେ ଗଣତିମଣତି ସମୟରେ ଏହା ଖୁବ୍‌ କାମରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି । 

Puri Ratna Bhandar