କେତେବେଳେ ଖୋଲିବ ରତ୍ନଭଣ୍ଡାର? ଏମିତି କହିଲେ ଜଷ୍ଟିସ ରଥ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ସରକାରଙ୍କ ମାର୍ଗଦର୍ଶିକା(ଏସଓପି) ଆଧାରରେ ସମସ୍ତ କାର୍ଯ୍ୟ ହେବ। ରତ୍ନଭଣ୍ଡାରର ରକ୍ଷକ ପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା ଓ ମା’ ବିମଳାଙ୍କ ପାଖରେ ଗୁଆ ଟେକା ପରେ ରତ୍ନଭଣ୍ଡାର ଖୋଲାଯିବ।

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

  • Published: Saturday, 13 July 2024
  • , Updated: 13 July 2024, 10:21 PM IST

ଦୀର୍ଘ ୪୬ ବର୍ଷ ପରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ଖୋଲିବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି। ତେଣୁ ଆଶା କରୁଛୁ ଆସନ୍ତାକାଲି ଦିନ ୧ଟାରୁ ସାଢ଼େ ୧ଟା ମଧ୍ୟରେ ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ସରକାରଙ୍କ ମାର୍ଗଦର୍ଶିକା(ଏସଓପି) ଆଧାରରେ ସମସ୍ତ କାର୍ଯ୍ୟ ହେବ। ରତ୍ନଭଣ୍ଡାରର ରକ୍ଷକ ପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା ଓ ମା’ ବିମଳାଙ୍କ ପାଖରେ ଗୁଆ ଟେକା ପରେ ରତ୍ନଭଣ୍ଡାର ଖୋଲାଯିବ।

ଓଟିଭିକୁ ସୂଚନା ଦେଇ ଜଷ୍ଟିସ ରଥ କହିଛନ୍ତି ଯେ, ରତ୍ନଭଣ୍ଡାର ଭିତରକୁ କିଏ ପ୍ରବେଶ କରିବେ ସେନେଇ ଏସ୍‌ଓପି ହୋଇଛି। ଯାଂଚ କମିଟିର, ୨ ସଦସ୍ୟ, ଜିଲ୍ଲାପାଳ, ଏଏସଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉକରଣ ଓ ତାଲା ଭଙ୍ଗା ଟିମ୍ ମଧ୍ୟ ଯିବେ । ସ୍ନେକ ହେଲପଲାଇନ୍ ଓ ମେଡିକାଲ ଟିମ୍ ସଦସ୍ୟଙ୍କୁ ଷ୍ଟାଣ୍ଡବାଇରେ ରଖାଯିବ। ଆବଶ୍ୟକ ପଡ଼ିଲେ ସେମାନେ ଭିତରକୁ ଯାଇପାରନ୍ତି। ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ଖୋଲାଯିବ । ସେଥିପାଇଁ ତାଲା ଭଙ୍ଗା ଟିମକୁ ମଧ୍ୟ ଡକାଯାଇଛି। ଚାବି କଥା ଆଉ ପ୍ରସଙ୍ଗ ହୋଇ ରହିନାହିଁ । ଆସନ୍ତାକାଲି ରତ୍ନଭଣ୍ଡାର ଖୋଲାଯିବ । ବହୁଦିନ ହେଲା ରତ୍ନଭଣ୍ଡାର ତାଲା ଖୋଲାଯାଇନଥିବାରୁ ତାଲାଭଙ୍ଗା ଟିମର ବ୍ୟବସ୍ଥା ହୋଇଛି । ସେହିପରି ରତ୍ନଭଣ୍ଡାରକୁ ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି ଜଷ୍ଟିସ ରଥ କହିଛନ୍ତି ।

ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା(ଏସଓପି) ଆଧାରରେ ସବୁ କାର୍ଯ୍ୟ ହେବ। ମାର୍ଗଦର୍ଶିକା ଆଧାର ରତ୍ନଭଣ୍ଡାର ଭିତରକୁ ପ୍ରବେଶ, ରତ୍ନଭଣ୍ଡାରରୁ ଅଳଙ୍କାର ଆଦିକୁ ସ୍ଥାନାନ୍ତର କରି ମନ୍ଦିର ଭିତରେ ରଖିବା ଏବଂ ରତ୍ନଭଣ୍ଡାରର ଗଣତିମଣତି କରାଯିବ। ସରକାରଙ୍କଠୁ ମାର୍ଗଦର୍ଶିକା ମିଳିବା ପରେ ସମସ୍ତଙ୍କ ସହ ଦୁଇ ରାଉଣ୍ଡ ଆଲୋଚନା ସରିଛି। ଏବେ ସେ ଜଷ୍ଟିସ ରଥଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। କାଲି କେତେବେଳେ ଖୋଲାଯିବ ତାହା ପଣ୍ଡିତମାନଙ୍କ ସହ ବିଚାରବିମର୍ଶ ପରେ ଜଣାପଡ଼ିବ। ତେବେ ଖୋଲିବା ସମୟ କହିବାକୁ ସେ ପ୍ରାଧିକୃତ ନୁହଁନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଅବଶ୍ୟ ଚାବି ପ୍ରସଙ୍ଗକୁ ଶ୍ରୀ ପାଢ଼ୀ ଏଡ଼ାଇ ଯାଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜ୍ୟ ସରକାର ଏସଓପି ଉପରେ ଚୂଡ଼ାନ୍ତ ମୋହର ମାରି ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Related story