Advertisment

ରଥଯାତ୍ରାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ

‘ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍‌ ଗଠନ ହେବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍‌ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍‌ର ମୁଖ୍ୟ ହେବେ।’

ଅଦ୍ୟତନ ହୋଇଛି
undefined

Puri

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ। ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ କରିଛି କମିଟି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Advertisment

ଶ୍ରୀ ବର୍ମା କହିଛନ୍ତି, ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍‌ ଗଠନ ହେବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍‌ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍‌ର ମୁଖ୍ୟ ହେବେ। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍‌ ସମସ୍ତ ବ୍ୟବସ୍ଥା ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିର ଯାଞ୍ଚ ପାଇଁ ଏକ ଟେକ୍ନିକାଲ୍‌ କମିଟି ଗଠନ କରାଯିବ। ଯେଉଁଥିରେ ଏଏସ୍‌ଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟରମାନେ ରହିବେ। ସେହି ଟେକ୍ନିକାଲ୍‌ କମିଟି ଆତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ରତ୍ନଭଣ୍ଡର ବାହ୍ୟାବସ୍ଥା ଯାଞ୍ଚ କରିବ। ତା’ର ଏକ ରିପୋର୍ଟ ପରବର୍ତ୍ତୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଏନେଇ ସରକାରଙ୍କୁ ସୁପାରିଶ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ଦୀର୍ଘ ୪୫ବର୍ଷ ଧରି ଖୋଲାଯାଇନି ଶ୍ରୀଜୀଉଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ବୋଲି ଖୋଦ୍ ଭଣ୍ଡାର ମେକାପ କହିବା ପରେ ଏହାର ମରାମତି ସହ ଠାକୁରଙ୍କ ଅଳଙ୍କାର ଗଣତି ପାଇଁ କୋଟି କୋଟି ଜଗନ୍ନାଥ ଭକ୍ତ, ସେବାୟତ ଓ ବିଭିନ୍ନ ଧାର୍ମିକ ସଂଗଠନମାନେ ଦାବି କରି ଆସୁଛନ୍ତି। ଏମିତିକି ଏ ସଂପର୍କିତ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ବି ରହିଛି।

ବହୁ ବାଦ-ବିବାଦ ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ୧୭ ଜଣିଆ କମିଟି ଯାଇଥିଲେ। ହେଲେ ଚାବି ନଥିବାରୁ ଭିତର ଭଣ୍ଡାରକୁ ନଯାଇ ବାହାରୁ ଅଧାପନ୍ତରିଆ ଯାଞ୍ଚ କରି ଫେରି ଆସିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ସେବେଠୁ ଆଉ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି।

ଦୀର୍ଘ ୪୫ବର୍ଷ ତଳେ ଅର୍ଥାତ୍ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ତାଲିକା ହୋଇଥିଲା। ସେବେଠୁ ଆଉ ରତ୍ନଭଣ୍ଡାର ଖୋଲାନଯିବା ଓ ଖୋଲିବାକୁ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ ମହାପ୍ରଭୁଙ୍କ ମହଣ ମହଣ ସ୍ୱର୍ଣ୍ଣ ଓ ରତ୍ନ ଅଳଙ୍କାର ସୁରକ୍ଷିତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶକୁ ତୁରନ୍ତ ରାଜ୍ୟ ସରକାର ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି।

Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe