Advertisment

ତିନି ଠାକୁରଙ୍କ ରଥ ତିନୋଟି ରଙ୍ଗ, ଦିଏ ଭିନ୍ନ ଭିନ୍ନ ଶୁଭାଶୁଭ ସୂଚନା

ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କୁହନ୍ତି, ରଥର ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ଗୋଟିଏ ଶରୀର ଭାବେ ଗଣାଯାଏ।

author-image
Niranjan Mishra
ଅଦ୍ୟତନ ହୋଇଛି
Puri Rath Dress Making

Puri Rath Dress Making

ତିନି ଠାକୁର ତିନି ରଙ୍ଗ। ସେହିପରି ତିନି ଠାକୁରଙ୍କ ରଥର ରଙ୍ଗରେ ମଧ୍ୟ ତିନୋଟି ରଙ୍ଗର ବିଶେଷତା ଥାଏ। ତେବେ ବିଷମତା ଭିତରେ ସମତା ଥିବା ଭଳି ତିନି ଠାକୁରଙ୍କ ତିନି ରଥରେ ବ୍ୟବହୃତ ଭିନ୍ନ ଭିନ୍ନ ରଙ୍ଗର କପଡ଼ା ସହିତ ନାଲି ରଙ୍ଗର କପଡ଼ା ନିଶ୍ଚିତ ଭାବେ ବ୍ୟବହାର କରାଯାଏ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ରଥ ମଣ୍ଡଣି କରିବା ପାଇଁ ବ୍ୟବହୃତ ରଥ କନା କାହିଁକି ତିନି ପ୍ରକାର ହୋଇଥାଏ, ଏହା ସବୁବେଳେ ଅଲୋଚନାର ବିଷୟ ହୋଇ ରହିଥାଏ।

Advertisment

ରଥଯାତ୍ରା ବେଳେ ଦୂର ଦିଗବଳୟରୁ ଭକ୍ତମାନେ ତିନିରଥର ରଙ୍ଗ ଦେଖି ଏହା କେଉଁ ଠାକୁରଙ୍କର ସହଜରେ ଜାଣିପାରନ୍ତି। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ନାଲି ଓ କଳା ରଙ୍ଗର କପଡ଼ା ଲାଗିଥାଏ। ଯାହାକୁ ଦରଜୀ ସେବକମାନେ ସିଲାଇ କରି ପ୍ରସ୍ତୁତ କରିଥା’ନ୍ତି। ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେରୁ କମ୍ ଦିନ ରହି ଯାଇଥିବାରୁ କାମ ଜୋରଦାର ଗତିରେ ଚାଲିଛି।

ତିନି ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ରୂପକାର ଓ ଚିତ୍ରକାରଙ୍କ ଯେତିକି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥାଏ ଦରଜୀ ସେବକଙ୍କର ମଧ୍ୟ ରଥ ସୌନ୍ଦର୍ଯ୍ୟ କ୍ରମରେ ସେତିକି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥାଏ। ନାଲି, ହଳଦିଆ, ସବୁଜ ଓ କଳା ରଙ୍ଗର ସ୍ୱତନ୍ତ୍ର କପଡ଼ା ଅଣାଯିବା ପରେ ବିଭିନ୍ନ ପ୍ରକାର କମକୁଟ କରି ରଥ ପରିଧାନ ପ୍ରସ୍ତୁତ କରନ୍ତି ଦରଜୀ ସେବକ।

Advertisment

ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କୁହନ୍ତି, ରଥର ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ଗୋଟିଏ ଶରୀର ଭାବେ ଗଣାଯାଏ। ରଥ ରୂପି ଶରୀରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆତ୍ମା ଭାବେ ଆରୁଢ଼ ହୁଅନ୍ତି। ରଥରେ ଆଚ୍ଛାଦିନ ବସ୍ତ୍ର ପ୍ରଥମେ କଶ୍ମୀରରୁ ଆସୁଥିଲା। ମଖମଲ କନାରେ ରଥ ବସ୍ତ୍ର ତିଆରି ହେଉଥିଲା। ହେଲେ ଏବେ ଓଡ଼ିଶା ସରକାର କନାକୁ ଅନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି। ମଖ ମଲମଲ କନା ବଦଳରେ ସୂତା କନା ବ୍ୟବହାର ହେଉଛି। ଏହି ରଙ୍ଗର ରଥକୁ ଚତୁର୍ଦ୍ଦଶ ମନ୍ୱନ୍ତରେ ମହାପ୍ରଭୁମାନେ ବ୍ୟବହାର କରିଥିଲେ। ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ବସ୍ତ୍ର ନୀଳ ଓ ରକ୍ତ ବର୍ଣ୍ଣର। ଏହା ବେଗମାନର ପ୍ରତୀକ। ନୀଳ ରଙ୍ଗ ଶୁଭ ଓ କାର୍ଯ୍ୟ ଆରମ୍ଭର ଦିଗ ନିର୍ଦ୍ଦେଶକ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ କୃଷ୍ଣ ଓ ନାଲି ରଙ୍ଗର ବସ୍ତ୍ର ବ୍ୟବହାର ହୁଏ। ଏହା ମାୟାର ପ୍ରତୀକ। ଏହି ରଙ୍ଗ ସାବଧାନର ପ୍ରତୀକ ମଧ୍ୟ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ପୀତ ଓ ରକ୍ତ ବସ୍ତ୍ର ବ୍ୟବହାର ହୁଏ। ଏହା ପ୍ରେମ ଓ ଆନନ୍ଦର ପ୍ରତୀକ। ଦରଜୀ ନିଯୋଗର ସେବକମାନେ କନକ ମୁଣ୍ଡି ଚାନ୍ଦୁଆ ଠାରୁ ଆରମ୍ଭ କରି ରଥ ବସ୍ତ୍ର ତିଆରି ପର୍ଯ୍ୟନ୍ତ ସମସ୍ତ କାମ କରନ୍ତି। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ରଥକୁ ଏହି ବସ୍ତ୍ର ପିନ୍ଧାଇ ଦିଆଯାଏ। ସେହିପରି ବଡ଼ ଠାକୁରଙ୍କ ରଥର ସାରଥୀ ମାତଳି ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ଦେବୀ ସୁଭଦ୍ରାଙ୍କ ରଥର ସାରଥୀ ଅର୍ଜୁନ କୃଷ୍ଣ(କଳା) ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ସାରଥୀ ଦାରୁକ ପୀତ ରଙ୍ଗର ବସ୍ତ୍ର ପରିଧାନ କରନ୍ତି।

Three Rathaଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ପିନ୍ଧିଥିବା ତିନି ରଥ(ଫାଇଲ୍‌ ଫଟୋ)

ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କନାକୁ ଯୋଗାଇ ଦିଆଯାଏ। ଚଳିତ ବର୍ଷ ସ୍ଵତନ୍ତ୍ର ଭାବରେ ଅହମ୍ମଦାବାଦରୁ ବିଭିନ୍ନ ରଙ୍ଗର ୩ ହଜାର ମିଟର ରଥ କନା ଆସିଛି। ରଥଯାତ୍ରା ପାଇଁ ୧୫୪୨ ମିଟର ରଥ କନା ଆବଶ୍ୟକ। ସେଥିରେ ୨୪ଟି ବତା, ବଇଳ ଆସ ପଟି ୭୨ଟା, ୧୨ଟା ଦୁଆର ବେଢ଼ା, ୧୨ଟି ଚନ୍ଦ୍ରଶାଳୀ, ୧୨ ଅଳାଶ୍ରୀ, ତିନୋଟି ପୋଟଳ, ପୋଲମୁଦ୍ରା, ପୋଲ ଚାଦର, ରଥ ଘେର, ୨୪ଟା ମେଣ୍ଢା ମୁଣ୍ଡିଆ, ୨୪ଟି ମଗର ବତା, ସାରଥୀ ପୋଷାକ, ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତିନି ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୧୮ତାରିଖ ସୁଦ୍ଧା ଶେଷ ହେବ ତାହା ପରେ ରଥ ମଣ୍ଡଣି କାର୍ଯ୍ୟ ଶେଷ କରାଯିବ।

Ratha Yatra Puri Shreemandir Lord Jagannath