Advertisment

ଅଧା ବାଟରେ ଅଟକିଲେ ତିନି ଠାକୁର

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା। ତେଣୁ ପ୍ରଥମ ଦିନରେ ଆଜି ତିନି ରଥ ଅଧାବାଟରେ ଅଟକିଛି।

Puri

Puri

Advertisment

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ। ୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା। ତେଣୁ ପ୍ରଥମ ଦିନରେ ଆଜି ତିନି ରଥ ଅଧାବାଟରେ ଅଟକିଛି। ଆସନ୍ତାକାଲି ଶରଧାବାଲିରେ ପହଞ୍ଚିବେ ବୋଲି ଜଣାପଡ଼ିଛି।

Advertisment

ଆଜି ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ତିନି ଠାକୁରଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା, ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ ଓ ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତର ଠାକୁର ଜଗନ୍ନାଥ। ବଡ଼ଦାଣ୍ଡରେ ଖେଳି ଯାଇଥିଲା ଭାବର ଜୁଆର ଓ ଭକ୍ତିର ଜୁଆର। ଉଛୁଳି ଉଠିଥିଲା ବଡ଼ଦାଣ୍ଡ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

Advertisment

ଗଜପତିଙ୍କ ଛେରାପହଁରା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଘର୍ଘର ନାଦରେ ଗଡ଼ିଥିଲା ରଥ। ପ୍ରଥମେ ଟଣା ଯାଇଥିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେବାୟତ ଓ ପୁରକ୍ଷା କର୍ମୀମାନେ ତାଳଧ୍ୱଜ ରଥକୁ ଟାଣି ନେଉଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଛି। ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଅଟକିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ। ଆଉ କାଳିଆ ସାଅଁନ୍ତଙ୍କ ରଥ ନନ୍ଦିଘୋଷ ସିଂହଦ୍ୱାରଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକି ରହିଛି। ଆସନ୍ତାକାଲି ସନ୍ଧ୍ୟା ବେଳେ ତିନି ରଥ ଶରଧାବାଲିରେ ପହଞ୍ଚିବ ବୋଲି କୁହାଯାଉଛି।

ଚଳିତବର୍ଷ ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଥିବାରୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ବାହାରିଥିବା ତିନି ରଥ ଯିଏ ଯେଉଁଠି ଅଛନ୍ତି କାଲି ପୁଣି ସେଇଠୁ ଆରମ୍ଭ ହେବ ଜନ୍ମବେଦୀକୁ ଯାତ୍ରା।

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe