Advertisment

ସିଂହଦ୍ୱାରରେ ଲାଗିଲା ତିନି ରଥ

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱରରେ ପହଞ୍ଚିଥିଲେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ଶେଷରେ ପହଞ୍ଚି ଥିଲେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

author-image
Biswajit Samal
Lord Jaganntha

Lord Jaganntha

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଯାଇଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ବୁଧବାର ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ।

Advertisment

ଶରଧାବାଲିରୁ ସିଂହଦ୍ୱାର- ରାତି ପାହୁ ପାହୁ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଥିଲା। ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟି ପଡୁଥିଲା ବଡ଼ଦାଣ୍ଡ। ତାରି ଭିତରେ ନାକଚଣା ଦ୍ୱାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ। ଆଡ଼ପ ମଣ୍ଡପରୁ ସଅଳ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳା ମୁକୁନ୍ଦ। ଆଉ ଶରଧାବାଲିକୁ ବର୍ଷା ଛୁଇଁଯିବା ପରେ ନିର୍ଦ୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ପୁଷ୍ପବୃଷ୍ଟି ସମ ଝିପିଝିପି ବର୍ଷାରେ ଟାହିଆ ହଲେଇ ହଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ କାଳିଆଠାକୁର। ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା। ଏହାପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ। ଦିନ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। ଟିକେ ଖରା ଟିକେ ଛାଇର ସୁନ୍ଦର ପାଗକୁ ତହୁଁ ସୁନ୍ଦର ଭକ୍ତିମୟ ପରିବେଶ। ଭକ୍ତଙ୍କ ଭିଡ଼ର ଦରିଆରେ ବିଶାଳ ପୋତ ଭଳି ଗଡ଼ି ଚାଲିଥିଲେ ତିନି ରଥ ତ ଢେଉ ପରେ ଢେଉ ଭଳି ପୂରା ବଡ଼ଦାଣ୍ଡରେ ଖେଳୁଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ। ଏସବୁ ଭିତରେ କିଛି ସମୟ ରଥତ୍ରୟ ଅଟକିଥିଲେ ମାଉସୀ ମାଆଙ୍କ ମନ୍ଦିର ଆଗରେ। ସେଠୁ ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱରରେ ପହଞ୍ଚିଥିଲେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ଶେଷରେ ପହଞ୍ଚି ଥିଲେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଶ୍ରୀଜଗନ୍ନାଥଙ୍କ ରଥକୁ ସିଂହଦ୍ୱାରକୁ ଆଣିବା ପୂର୍ବରୁ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।

Advertisment

ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ। ଏ ବର୍ଷ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ବେଳେ ଭକ୍ତଙ୍କ ଭିତରେ ଠେଲାପେଲା, ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ଖସି ପଡ଼ିବା,ଏବଂ ରଥ ଉପରେ ଅଣସେବାୟତଙ୍କ ସହ ବହୁ ଲୋକଙ୍କ ଭିଡ଼ ଯାତ୍ରା ଆୟୋଜନର ଏକାଧିକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା। ହେଲେ ବାହୁଡ଼ାରେ ସେ ବିଲକ୍ଷଣ ଓ ବିଶୃଙ୍ଖଳାକୁ ଯେମିତି ଆଦୌ ପ୍ରଶ୍ରୟ ଦେଇନି ଶ୍ରୀମନ୍ଦିର ପ୍ରଶାସନ। ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରଥ ଉପରେ ଚଢ଼ିଥିବା ଜଣେ ଅଣ ସେବାୟତଙ୍କୁ ହାତ ଧରି କର୍ଡନ ବାହାରକୁ ନେଇଯାଇଥିଲେ।

Ratha Yatra Puri Ratha Yatra