Advertisment

କାଲି ଶ୍ରୀଜିଉଙ୍କ ସୁନାବେଶ

ଆସନ୍ତାକାଲି ଆଷାଢ଼ ଶୁକ୍ଳ ଏକାଦଶୀରେ ବିଶ୍ୱନିୟନ୍ତାଙ୍କ ହେବ ସୁନାବେଶ। ମହଣ ମହଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।

Lord Jaganntha

Lord Jagannath

Advertisment

ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ। ଆସନ୍ତାକାଲି ଆଷାଢ଼ ଶୁକ୍ଳ ଏକାଦଶୀରେ ବିଶ୍ୱନିୟନ୍ତାଙ୍କ ହେବ ସୁନାବେଶ। ମହଣ ମହଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଥିବାରୁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ କରିଛି ପୁଲିସ୍ ପ୍ରଶାସନ।

Advertisment

ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର। ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆସନ୍ତାକାଲି ଅଳଙ୍କାର ଆଣି ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ।

ମାନବୀୟ ଲୀଳା କରୁଥିବା ପ୍ରଭୁ ଶ୍ରୀବଳଭଦ୍ର ଧାରଣ କରିବେ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ସହ ବିଭିନ୍ନ ପ୍ରକାରର ମାଳି। ସେହିପରି ଦେବୀ ସୁଭଦ୍ରା ମସ୍ତକରେ କିରୀଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, କଦମ୍ବମାଳି, ସେବତୀମାଳି ସହ ପରିଧାନ କରିବେ ୨ଟି ତଗଡ଼ି। ଶ୍ରୀଜଗନ୍ନାଥ ମଧ୍ୟ ବଡ଼ଭାଇଙ୍କ ଭଳି ପରିଧାନ କରିବେ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ସହ ମାଳି। ଏହି ବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ରଥାରୁଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ବାରଣ କରାଯାଇଛି।

Advertisment

ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବାଆଶା କରାଯାଉଛି। ତେଣୁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସ୍ୱରୂପ ଯେଉଁମାନେ ଭୁବନେଶ୍ୱର ପଟୁ ୪ ଚକିଆରେ ଆସୁଥିବେ ସେମାନେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର, ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥ ବଲ୍ଲଭ, ୟାତ୍ରିକା ପ୍ୟାଲେସ୍ ଓ ନୋଳିଆ ଫିଲ୍ଡରେ ପାର୍କିଂ କରିବେ। କୋଣାର୍କ ପଟୁ ଆସୁଥିବା ଯାତ୍ରୀ, ଇଣ୍ଡୋର ଷ୍ଟାଡ଼ିୟମ୍, ଆଇଟିଆଇ ଓ ହେଲିପ୍ୟାଡ୍ ପାର୍କିଂରେ ଗାଡ଼ି ରଖିବେ। ଭୁବନେଶ୍ୱର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତୀପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ। ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଓ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫାଗ୍ ବିଚ୍, ହୋଟେଲ୍ ନୀଳାଚଳ ଅଶୋକ, ହଲିଡେ ରିସର୍ଟ ପଛପଟ ପାର୍କିଂରେ ଗାଡ଼ି ରହିବ।

ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ ୱାନ ୱେରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ତାଳଧ୍ୱଜ ରଥ କଡ଼େ କଡ଼େ ଫେରିବେ। ସୁନାବେଶ ପାଇଁ ମୁତୟନ ହେବେ ମୋଟ୍ ୧୯୦ ପ୍ଲାଟୁନ୍ ପୁଲିସ ଫୋର୍ସ।

Ratha Yatra Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe