Advertisment

ରଥ ଉପରେ କ’ଣ ଖାଆନ୍ତି ମହାପ୍ରଭୁ ? ଜାଣନ୍ତୁ ବିଧିବ୍ୟବସ୍ଥା

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଲା ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ହେଉଥିବା ସ୍ୱତନ୍ତ୍ର ଭୋଗ। ଏଥିପାଇଁ ପୂର୍ବରୁ ହେଉଥିବା ରଥ ଭୋଗ ଓ ଏବେ ହେଉଥିବା ରଥ ଭୋଗ ବିଷୟରେ ଜାଣିବାକୁ ପଡ଼ିବ।

author-image
Niranjan Mishra
ଅଦ୍ୟତନ ହୋଇଛି
Ratha Yatra

Ratha Yatra

ରଥ ଉପରେ କ’ଣ ଖାଆନ୍ତି ମହାପ୍ରଭୁ ? କେଉଁ ଭୋଗ ସମର୍ପଣ ହୁଏ ? ଏହା ଜାଣନ୍ତି କି ?

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଲା ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ହେଉଥିବା ସ୍ୱତନ୍ତ୍ର ଭୋଗ। ଏଥିପାଇଁ ପୂର୍ବରୁ ହେଉଥିବା ରଥ ଭୋଗ ଓ ଏବେ ହେଉଥିବା ରଥ ଭୋଗ ବିଷୟରେ ଜାଣିବାକୁ ପଡ଼ିବ।

Advertisment

ମାଦଳାପାଞ୍ଜି, ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଏବଂ ଶ୍ରୀମନ୍ଦିର ପଞ୍ଜିକା ଇତ୍ୟାଦିରୁ ଜଣାପଡ଼େ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରକାର ଭୋଗମାନ ବନ୍ଦନ କରାଯାଇଥିଲା। ଏହି ଗଜପତି ରଥ ଉପରେ ହେଉଥିବା ଭୋଗଗୁଡ଼ିକ ଯଥା- ବଡ଼ସାନ ମନୋହର, ପଶୁପାଳକ କାକରା, ନାଡ଼ି, ଗଜା, ଟାକୁଆ, ଫେଣି, ଡାଳିମ୍ବ, ସୁଆର ନଡ଼ୁ, କାକରା ଇତ୍ୟାଦି ଭୋଗର ଖର୍ଚ୍ଚ ତୁଲାଇବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ଏହା ବଦଳରେ ରଥଭୋଗ ଆକାରରେ କେବଳ ବିଭିନ୍ନ ଆକୃତିର କୋରା, ଖଇ ଓ ଫଳ ଇତ୍ୟାଦି କରାଯାଇଥିଲା।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଅଧିକ ଭୋଗ ମଧ୍ୟରେ କୋରା, ଖଇ, ବଡ଼ କାକରା, ଉଠା କାକରା, ମହା ପ୍ରସସ୍ତ ମନହର, ବଡ ଅମାଲୁ, ସାନ ଅମାଲୁ, ଝଡ଼େଇ ନେଦା, ମାଣ୍ଡୁଅ, ଏକ ବଡ଼ ଟାକୁଆ, ରଥ ମନହର, ମରିଚି ଲଡ଼ୁ ଇତ୍ୟାଦି ଭୋଗ ଦ୍ରବ୍ୟ ପ୍ରଭୃତି କୋଠଭୋଗ ସୂପକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିଲା। ଏହି ଭୋଗ ଶ୍ରୀମନ୍ଦିର ଆନନ୍ଦବଜାର ସ୍ଥିତ ପାଣିଘର ଠାରେ ପ୍ରସ୍ତୁତ ହେଉଥିଲା।

Advertisment

ଏହାଛଡ଼ା ରଥ ଉପରେ ଅନୁଷ୍ଠିତ ଭୋଗମାନ ମାଜଣା ଯାଗା, ଦଶାବତାର ମଠ, ଚାଉଳିଆ ମଠ, ବଡ଼ଛତା ମଠ ଓ ଜଗନ୍ନାଥ ବଲ୍ଲଭ ମଠ ଠାରେ ପ୍ରସ୍ତୁତ ହେଉଥିଲା। କିନ୍ତୁ ପ୍ରାୟ ୮୦ ବର୍ଷ ଧରି ଏହି ଭୋଗ ବନ୍ଦ ହୋଇଯାଇଛି।

ବର୍ତ୍ତମାନ କେବଳ ମାଜଣା ଜାଗା ପକ୍ଷରୁ ଶ୍ରୀମନ୍ଦିର ସୁପକାର ସେବକମାନଙ୍କ ଦ୍ୱାରା ଖେଚଡ଼ି ଓ ଡାଲମା ଇତ୍ୟାଦି ରନ୍ଧା ହୋଇ ଯାଗା ବିଜେସ୍ଥଳୀ ଠାରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ଭୋଗ କରାଯାଉଛି।

ଏଥିସହ ସମ୍ପ୍ରତି ରଥ ଉପରେ ଦୁଇପ୍ରକାର ବଡ଼କୋରା, ଧୁଆମୁଗ, ଗଜାମୁଗ, ପାତିନଡ଼ିଆ, ଭଲ ଘିଅ, ବଲ୍ଲଭ ଖଇ, ସେଓ, କଦଳୀ, କମଳା, ଚାଉଳିଆ, କାକୁଡ଼ି ଇତ୍ୟାଦି ଫଳ ଭୋଗ ହେଉଛି।

ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ସକାଳ ଧୂପ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପରେ ମୋଟ ଉପରେ ୭୪ଟି କୋରା, ୨୧ ଓଳି ଖଇ ନୈବେଦ୍ୟ କରାଯାଉଛି।

ସେଥିମଧ୍ୟରୁ ତାଳଧ୍ୱଜରେ ବଳଭଦ୍ରଙ୍କ ନିକଟରେ ୨୬ଟି କୋରା, ୭ ଓଳି ଖଇ, ଗଜାମୁଗ, ଫଳ ଇତ୍ୟାଦି ଅର୍ପଣ କରାଯାଏ। ନନ୍ଦିଘୋଷ ଉପରେ ଶ୍ରୀଜଗନ୍ନାଥଙ୍କ ନିକଟରେ ୨୮ଟି କୋରା, ୭ ଓଳି ଖଇ, ଗଜାମୁଗ, ଫଳ, ନଡ଼ିଆ ପାତି ଇତ୍ୟାଦି ଅର୍ପଣ କରାଯାଏ। ଦେବଦଳନ ଉପରେ ମା’ ସୁଭଦ୍ରାଙ୍କ ନିକଟରେ ୨୦ଟି କୋରା, ୭ ଓଳି ଖଇ, ଗଜାମୁଗ, ନଡ଼ିଆ ପାତି, ସେଓ, କମଳା, କଦଳୀ, କାକୁଡ଼ି ଆଦି କଟା ଫଳ ଅର୍ପଣ କରାଯାଏ।

ବଡ଼ସିଂହାର ଭୋଗରେ ତିନି ରଥ ଉପରେ ଠାକୁରମାନଙ୍କୁ ୨୪ଟି ସାନ ନଡ଼ିଆ କୋରା, ୧୨ ଓଳି ସାଦା ଖଇ ଭୋଗ ହୋଇଥାଏ। ଏଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥରେ ୮ଟି କୋରା, ୪ ଓଳି ଖଇ ଓ ଦେବୀ ସୁଭଦ୍ରାଙ୍କୁ ୮ଟି କୋରା ଓ ୪ ଓଳି ଖଇ, ବଳଭଦ୍ରଙ୍କ ପାଖରେ ୮ଟି କୋରା ଓ ୪ ଓଳି ଖଇ ଭୋଗ କରାଯାଏ।

ରଥ ଉପରେ ଗୋପାଳ ବଲ୍ଲଭ ଭୋଗରେ ଖଇ, ଖୁଆମଣ୍ଡା, ନଡ଼ିଆ ପାତି, କୋରା, ଦହି, ଫଳମୂଳ ଆଦି ସର୍ପାମଣୋହି କରାଯାଏ।

ସର୍ବଶେଷରେ ଏତିକି କୁହାଯାଇପାରେ, ଯେଉଁ ସାତ୍ତ୍ୱିକ ଆହାର ରସଯୁକ୍ତ, ସ୍ନିଗ୍ଧ, ଘୃତାଦି ସ୍ନେହଗୁଣ ସମ୍ପନ୍ନ, ସାରଯୁକ୍ତ ଓ ହୃଦୟ ପ୍ରୀତିକର ତାହା ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୁଏ। ସେହି ଦିବ୍ୟ ଗୁଣଧାରୀ ମହାପ୍ରସାଦକୁ ଆସ୍ୱାଦନରେ ଭକ୍ତ ମଣ୍ଡଳି କୁତାର୍ଥ ହୁଅନ୍ତି। ତେବେ ପୂର୍ବ ପ୍ରଚଳିତ ଭୋଗଗୁଡ଼ିକ କାହିଁକି ପୁନଃ ପ୍ରଚଳନ କରିବା ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି ତାହା ଅସ୍ପଷ୍ଟ।

Ratha Yatra Puri Lord Jagannath Puri Ratha Yatra