Advertisment

କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ?

ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ଗ୍ରୀଲ ଦ୍ୱାରବାଟେ ଟର୍ଚ୍ଚ ଲାଇଟରୁ ବି ଭିତର ଭଣ୍ଡାର କାନ୍ଥର ପ୍ଲାଷ୍ଟରରେ ଜଳ ଜଳ ଫାଟ ଦିଶୁଥିଲା।

author-image
Biswajit Samal
Ratan bhandar

Ratan bhandar

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏବେ କେଉଁ ଅବସ୍ଥାରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାରଣ ପୂର୍ବ ସରକାର ଅମଳରେ ଶେଷଥର ପାଇଁ ୨୦୧୮ ଏପ୍ରିଲ୍ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବାର ନିଷ୍ଫଳ ଉଦ୍ୟମ ସମୟରେ ୧୭ ଜଣିଆ ପ୍ରାଧିକୃତ ଟିମ୍ ନଜରରେ ଯାହା ଆସିଥିଲା ତାହା ଥିଲା ଅତି ଉଦବେଗ ସୃଷ୍ଟିକାରୀ। କାରଣ ସେ ସମୟର ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭିତର ତ ଭିତର ବାହାର ଭଣ୍ଡାରଘର ଅବସ୍ଥା ବି ଭଲ ନଥିଲା। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧ ଉପରେ ଥିବା ୫ଟି ଲୁହା ବିମରୁ ୨ଟି ବିମ୍ ଖସିପଡ଼ିଥିଲା। ବାକି ୩ଟି ବିମ୍ ମଧ୍ୟ ଭଲ ଅବସ୍ଥାରେ ନଥିଲା। ଫାଟ ଏତେ ବଡ଼ ଥିଲା ଯେ ଜଗମୋହନ ମରାମତି ସମୟରେ ଗ୍ରାଉଟିଂ କରାଯାଇଥିବା ପଦାର୍ଥ ଭଣ୍ଡାର ଘର କାନ୍ଥ ଫାଟ ଦେଇ ବାହାରକୁ ବାହାରିଥିବା ଦେଖାଯାଇଥିଲା।

Advertisment

କେବଳ ସେତିକି ନୁହେଁ, ବାହାର ଭଣ୍ଡାରରୁ ଭିତର ଭଣ୍ଡାରର ଗ୍ରୀଲ ଦ୍ୱାରବାଟେ ଟର୍ଚ୍ଚ ଲାଇଟରୁ ବି ଭିତର ଭଣ୍ଡାର କାନ୍ଥର ପ୍ଲାଷ୍ଟରରେ ଜଳ ଜଳ ଫାଟ ଦିଶୁଥିଲା। କୋରୱେଭର କେତେକ ସ୍ଥାନ ଦୁର୍ବଳ ଥିବା ଜଣାପଡୁଥିଲା। ଛାତରୁ କିଛି ପଥର ଖଣ୍ଡ ଖସି ଚଟାଣରେ ପଡ଼ିଥିବାର ଦେଖାଯାଉଥିଲା। ହେଲେ ୟା ଭିତରେ ୬ ବର୍ଷ ବିତିଯାଇଥିଲା ବେଳେ ଏବେକାର ରତ୍ନଭଣ୍ଡାର ସ୍ଥିତି କ’ଣ ତାହା କାହାରିକୁ ଜଣାନାହିଁ। ଯଦିଓ ନୂଆ ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବାର ଆଶା ବଢ଼ିଛି। ତଥାପି ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ସେ ଉତ୍ତର ବି କାହା ପାଖରେ ନାହିଁ। ଖୋଲିଲେ ବି ଆଗ ଦୁର୍ମୂଲ୍ୟ ଅଳଙ୍କାରର ଗଣତି ହେବ ନା ମରାମତି ହେବ ତାକୁ ନେଇ ବି ପ୍ରଶ୍ନ ଉଠିଛି।

ଏଭଳି ସ୍ଥିତିରେ ଓଟିଭିକୁ ଏକ୍ସ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, କେବେ ରତ୍ନଭଣ୍ଡାର ଖୋଲିବ ଓ କିଭଳି ଭଣ୍ଡାର ମରାମତି ସହ ଦୁର୍ମୂଲ୍ୟ ଅଳଙ୍କାରର ଗଣତି ହେବ, ସେନଇ ଅଗଷ୍ଟ ୨୦୨୩ରୁ ସରକାରଙ୍କୁ ପରିଚାଳନା କମିଟି ତାର ପ୍ରସ୍ତାବ ଦେଇ ସାରିଛି। ଜଷ୍ଟିସ୍ ପଶାୟତ କମିଟି ଏହାର ପ୍ରକ୍ରିୟା ସ୍ଥିର କଲେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେବେ ସରକାର।

Advertisment

ଆଜି ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବି ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସୁଦର୍ଶନ ଦର୍ଶାଇଛନ୍ତି ଲେଜର ସ୍କାନିଂରୁ ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଜଣାପଡ଼ିଥିଲା। ତେଣୁ ଆଗକୁ ବର୍ଷାଋତୁ ଥିବାରୁ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷେ, ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଖୁବୁଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ବିଜେପି ସରକାର ଗଠନର ଦିନକ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଏବେ ଅପେକ୍ଷା କେବେ ଖୋଲୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ରହସ୍ୟ। କେବେଠୁ ଆରମ୍ଭ ହେଉଛି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ମରାମତି।

Puri Shreemandir Puri