Advertisment

କାହା ଭୁଲରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

ଗୋଟିଏ ପଟେ ଗତକାଲିର ଅଘଟଣକୁ ନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଏଯାଏଁ ମୁହଁ ଖୋଲୁ ନଥିବାବେଳେ, ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କିନ୍ତୁ ସିଧାସଳଖ ଏଥିପାଇଁ ସେବକଙ୍କ ବିଶୃଙ୍ଖଳିତ ଆଚରଣକୁ ଦାୟୀ କରିଛନ୍ତି।

ଅଦ୍ୟତନ ହୋଇଛି
Pahandi

Pahandi

Advertisment

ଏତେ ଖାମଖିଆଲ, ଏତେ ବେପରୁଆପଣ ? ବାରମ୍ବାର ଅଘଟଣରୁ ବି କ’ଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ। ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡ଼ି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ? କାହିଁକି ଗଲାବର୍ଷର ଘଟଣାରୁ କିଛି ଶିଖିଲେନି ସେବାୟତ? ଗତକାଲିର ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଯେତିକି ଗଭୀର ଆଘାତ ଦେଇଛି, ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ଉପରେ ବି ଲଗାଇଛି ସେତିକି ପ୍ରଶ୍ନ ଚିହ୍ନ।

Advertisment

ଗୋଟିଏ ପଟେ ଗତକାଲିର ଅଘଟଣକୁ ନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଏଯାଏଁ ମୁହଁ ଖୋଲୁ ନଥିବାବେଳେ, ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କିନ୍ତୁ ସିଧାସଳଖ ଏଥିପାଇଁ ସେବକଙ୍କ ବିଶୃଙ୍ଖଳିତ ଆଚରଣକୁ ଦାୟୀ କରିଛନ୍ତି। ଜଗୁନି କହିଛନ୍ତି- ଯୁବ ସେବାୟତମାନେ କିଛି ମାନୁ ନାହାନ୍ତି। ରଥରେ ଦରକାରଠୁ ଅଧିକ ଗୁଣା ସେବାୟତ ଓ ଅଣସେବାୟତ ଚଢୁଛନ୍ତି। ସେମାନେ ଠାକୁରଙ୍କ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ମୋବାଇଲ୍ ଧରି ଫଟୋ ଉଠାଇବା ସାଙ୍ଗକୁ ରିଲ୍ ନିଶାରେ ମସଗୁଲ୍ ହେଉଛନ୍ତି।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ପହଣ୍ଡି ବେଳେ ବିଶୃଙ୍ଖଳା ରୋକିବାକୁ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅନେକ ଥର ଚିଠି ଲେଖାଯାଇଛି। ତାସତ୍ତ୍ୱେ କିଛି ଆକ୍ସନ ନିଆଯାଉନାହିଁ। ଯାହା ଫଳରେ ଆଗାମୀ ଦିନରେ ଶୃଙ୍ଖଳିତ ରଥଯାତ୍ରା ହେବା ନେଇ ବି ଆଶଙ୍କା ସୃଷ୍ଟି ହେଲାଣି।

Advertisment

ଏସବୁ ଭିତରେ ଆହୁରି ପ୍ରଶ୍ନ ଉଠିଛି ଯେ- ଗତକାଲିର ଘଟଣା ପାଇଁ ଖାଲି ସେବକ ନା ମନ୍ଦିର ପ୍ରଶାସନ ବି ଦାୟୀ ? ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟରେ କାହିଁକି ଉପସ୍ଥିତ ନଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ? ସେବାୟତଙ୍କ ସହ ମନ୍ଦିର ପ୍ରଶାସନର ଅଧିକାରୀମାନେ ସମନ୍ୱୟ ରକ୍ଷା କରିଥିଲେ କି ନାହିଁ ? ରଥ ଉପରକୁ ଅନଧିକୃତ ଓ ଅନାବଶ୍ୟକ ସେବାୟତଙ୍କୁ ଚଢ଼ିବାକୁ କାହିଁକି ବାରଣ କରାଯାଇ ନଥିଲା ? ଚାରମାଳ ଓ ପାଟଡୋର ଠିକ୍ ରେ ବନ୍ଧା ଯାଇଛି କ ନାହିଁ ତାର ଯାଞ୍ଚ ସହ ନିରୀକ୍ଷଣ କାହିଁକି ହୋଇନଥିଲା ? ସବୁ ଅଘଟଣକୁ ଠାକୁରଙ୍କ ଲୀଳା କହି ବିନା କାର୍ଯ୍ୟାନୁଷ୍ଠାନରେ ନୀତି କରାଯାଉଥିବାରୁ ସେବକଙ୍କ ମନରେ ଆଉ ଡର ରହୁନାହିଁ କି ? ତାସହ ଠାକୁରଙ୍କ ବଡ଼ ବଡ଼ ନୀତିକାନ୍ତି ବେଳେ ବରିଷ୍ଠ ସେବକମାନେ କେବଳ ରଥରେ ବସି ରହିବା ସହ ଯୁବ ଓ ଅନଭିଜ୍ଞ ସେବାୟତଙ୍କ ହାତରେ ସବୁ ଦାୟିତ୍ୱ ଛାଡ଼ି ଦେଉଥିବାରୁ ବାରମ୍ବାର ଅଘଟଣ ଘଟୁନାହିଁ ତ ? ତେଣେ ଗତକାଲିର ଘଟଣାକୁ ନେଇ କ୍ଷୁବ୍ଧ ଜଗନ୍ନାଥ ସେନା ପକ୍ଷରୁ ଆଜି ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବି ଦାବି କରିଛି ଜଗନ୍ନାଥ ସେନା।

ବାରମ୍ବାର ଅଘଟଣ, ବାରମ୍ବାର ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଆଘାତ। ଏହା ବନ୍ଦ ନହେଲେ ଖାଲି ଯେ ଜଗନ୍ନାଥ ସଂସ୍କୃତି ପ୍ରତି ବଡ଼ ଅପମାନ ହେବ ତା ନୁହେଁ, ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବି ପହଞ୍ଚାଇବ ଘୋର କ୍ଷତି। ଆଉ ଏହାକୁ ଠାକୁରଙ୍କ ଲୀଳା କହି ଖସିଯିବାଟାକୁ ବି ସହଜରେ ଗ୍ରହଣ କରିପାରୁନାହାନ୍ତି ଖୋଦ୍ ମହାପ୍ରଭୁଙ୍କ ସେବକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ।

Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe