ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକରେ ରହିଛି ପ୍ରସିଦ୍ଧ ମାଉସୀ ମା’ ବା ଅର୍ଦ୍ଧାଶିନୀ ମନ୍ଦିର। ରଥଯାତ୍ରାରେ ନୀଳକନ୍ଦରରୁ ରଥଯାତ୍ରାରେ ଭକ୍ତଗଣଙ୍କ ଗହଣକୁ ଆସିଥିବା ମହାପ୍ରଭୁ ବାହୁଡ଼ା ବେଳେ ଏହି ମନ୍ଦିର ନିକଟରେ ଅଟକନ୍ତି ଓ ମାଉସୀ ମା’ ମନ୍ଦିରରେ ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। ଏହି ଦିବ୍ୟା ଲୀଳା ପଛରେ ଅନେକ କିମ୍ୱକନ୍ତି ଓ ପୌରାଣିକ କଥାବସ୍ତୁ ରହିଥିବା ଜଣାଯାଏ।
ଏକଦା ମହାପ୍ରଳୟ କାଳରେ ପୁରୁଷୋତ୍ତମ କ୍ଷେତ୍ରସ୍ଥ ରୋହିଣୀକୁଣ୍ଡରୁ ନିଃସୃତ ଜଳ ମହାପ୍ରଳୟ ଘଟାଇବା ପରେ ପୁଣି ସେହି କୁଣ୍ଡରେ ଲୀନ ହୋଇ ନ ଥିଲା। ଠିକ୍ ସେତିକି ବେଳେ ମା’ ଲକ୍ଷ୍ମୀଙ୍କ ଆଜ୍ଞାରେ ଯୋଗମାୟାଙ୍କ ଦିବ୍ୟରୂପରୁ ଏକ ଶକ୍ତି ଜାତ ହୋଇ ଅର୍ଦ୍ଧ ପ୍ରଳୟଜଳ ଶୋଷଣ କରିଥିଲେ। ଏଥିସହ ଶ୍ରୀକ୍ଷେତ୍ର ରକ୍ଷା ନିମନ୍ତେ ଏଠାରେ ଜଗି ରହିଛନ୍ତି। ଏହି ଠାକୁରାଣୀ ହେଉଛନ୍ତି ଅର୍ଦ୍ଧାଶିନୀ ଏହି ପ୍ରସଙ୍ଗ ଇନ୍ଦ୍ର ନୀଳମଣି ପୁରାଣରେ ବର୍ଣ୍ଣିତ।
ଏହାଛଡ଼ା ଦେବୀ ଏଠାରେ ଥିବା ଶବରମାନଙ୍କ ନିବାସ ସ୍ଥଳକୁ ସୁରକ୍ଷା ଦେଇଥିବାରୁ ସ୍ଥାନୀୟ ଲୋକେ ଠାକୁରାଣୀଙ୍କୁ ଇଷ୍ଟଦେବୀ ଭାବେ ପୂଜନ କରନ୍ତି। ଏନେଇ ପୁରୁଷୋତ୍ତମ ମହାତ୍ମ୍ୟରେ ବର୍ଣ୍ଣିତ ଥିବା ଜଣାଯାଏ।
ଶବର ସାମନ୍ତମାନେ ଇନ୍ଦ୍ରନୀଳମଣି ମୂର୍ତ୍ତିକୁ ଲୁଚାଇ ରଖିଲା ପରି ଅର୍ଦ୍ଧାଶିନୀଙ୍କ ଅର୍ଦ୍ଧଅଙ୍ଗକୁ ସୁଭଦ୍ରାଙ୍କ ମୁଖମଣ୍ଡଳ ରୂପରେ ଲୁଚାଇ ରଖିଥିବା ଶୁଣିବାକୁ ମିଳେ। ଏହି ମୂର୍ତ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗସମ୍ପୂତା ବୋଲି ପ୍ରମାଣିତ କରିବାକୁ ଏହି ବିଗ୍ରହଙ୍କ ମୂର୍ତ୍ତିକୁ ସମାନ ରୂପ ଦିଆଯାଇଛି। ଏହି ଠାକୁରାଣୀଙ୍କୁ ଦର୍ଶନ ମାତ୍ରକେ ଭକ୍ତ ଭିତରେ ଥିବା ଅଜ୍ଞାନତାକୁ ଏହି ମା’ ଶୋଷନ କରି ନିଅନ୍ତି ବୋଲି କୁହାଯାଏ।
ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟସ୍ଥ ବଡ଼ଦାଣ୍ଡର ଠିକ୍ ମଝି ସ୍ଥାନରେ ଏହି ମନ୍ଦିର ଅବସ୍ଥିତ। ପୂର୍ବେ ଏହି ମନ୍ଦିର ଦେଇ ବୋହି ଯାଇଥିବା ମାଳିନୀ ନଦୀ ଏବେ ସମ୍ପୂର୍ଣ୍ଣ ସତା ହରାଇଛି। କେଶରୀବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିବା ଜଣାଯାଏ।
ମଉସୀ ମା’ ମୂଳତଃ ଏକ କୃଷ୍ଣପ୍ରସ୍ତର ନିର୍ମିତ ଦ୍ୱିଭୁଜା ରମଣୀୟ ବିଗ୍ରହ। ବିଗ୍ରହଙ୍କ ଦୁଇପାର୍ଶ୍ୱରେ ଦୁଇଜଣ ପାର୍ଶ୍ୱଦେବୀ ବିଦ୍ୟମାନ। ମୂର୍ତ୍ତିର କଟି ଦେଶରୁ ଉପର ଅଂଶକୁ ଆଚ୍ଛାଦିନ କରି ଦେବୀ ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି। ଏଠାରେ ପ୍ରତ୍ୟେକ ଦିନ ଅନ୍ୟମନ୍ଦିର ଭଳି ଦେବନୀତି ହୋଇଥାଏ। ଦେବୀଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ଏହି ଠାକୁରାଣୀ ଦ୍ୱିଭୁଜା। ଠାକୁରାଣୀ ମାଳା ଓ ଅଭୟ ମୁଦ୍ରା ବିଭୂଷିତା। ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ଠାକରାଣୀଙ୍କ ଜଳାଶାୟୀ ଉତ୍ସବ ହୋଇଥାଏ।
କାହିଁକି ପୋଡ଼ପିଠା - ପୁରାଣରୁ ଜଣାଯାଏ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରୁ ଆସିବା ସମୟରେ ସାନ ମା’ କୈକେୟୀଙ୍କୁ ଦୁଃଖିତ ଥିବା ଦେଖି ବ୍ୟଥିତ ହୋଇଥିଲେ। ଭରତ କୈକେୟୀଙ୍କୁ ମା’ ବୋଲି ଡାକିବେ ନାହିଁ ବୋଲି ସତ୍ୟ କରିଥିବା ଜାଣିବା ପରେ ଭାରତଙ୍କ ସତ୍ୟ ରକ୍ଷା ନିମନ୍ତେ ଓ ମା’ କୈକେୟୀଙ୍କ ଦୁଃଖ ଲାଘବ ନିମନ୍ତେ ପ୍ରଭୁ ଶ୍ରୀରାମ ଲୀଳା ରଚନା କରିଥିଲେ। ସେ ପରବର୍ତ୍ତୀ ଜନ୍ମମାନଙ୍କରେ କୈକେୟୀଙ୍କ ପାଖଳରେ ଲାଳନ ପାଳନ ହେବେ ଓ ମା’ ଭାବେ ଡାକିବେ ବୋଲି ବରଦାନ ଦେଇଥିଲେ। ରଘୁନାଥ ବରଦାନରେ କହିଥିଲେ- ତ୍ରେତୟାଯୁଗ ଅବସାନ ପରେ ଆସିବ ଦ୍ୱାପର ଯୁଗ। ଏହି ସମୟରେ ତୁମେ ପାଳିତ ମା’ ଯଶୋମତି ବା ଯଶୋଦା ହେବ। କଳିଯୁଗରେ ମୁଁ ଦାରୁବ୍ରହ୍ମ ହେବି, ତୁମେ ମୋ ମାଉସୀ ମା’ ହୋଇ ଶ୍ରୀକ୍ଷେତ୍ରରେ ରହିବ। ଘୋଷଯାତ୍ରାଦିନ ବଡ଼ଦାଣ୍ଡରେ ମୋ ନନ୍ଦିଘୋଷ ରଥ ଗଡ଼ି ଯିବା ବେଳେ ତୁମ ହାତ ପ୍ରସ୍ତୁତ ପୋଡ଼ପିଠା ଖାଇବା ପାଇଁ ମୁଁ ଅଟକିବି ବୋଲି ଶ୍ରୀରାମଚନ୍ଦ୍ର ବରଦାନ ଦେଇଥିବାରୁ ଏହି ପରମ୍ପରା ଚାଲି ଆସୁଥିବା କୁହାଯାଏ।
ପୋଡ଼ପିଠା ପ୍ରସ୍ତୁତି - ଏହି ପୋଡ଼ ପିଠା ଛେନା, ଗହମରୁ ପ୍ରସ୍ତୁତ ଅଟା, ଗାଈ ଘିଅ, ଚିନି, ବାଦାମ, ଖିସିମିସି, ଅଳେଇଚ, ଲବଙ୍ଗ ପ୍ରଭୃତି ଏକତ୍ର ମିଶ୍ରଣ କରି ଚକଟା ଯାଏ। ପରେ ଠାକୁରାଣୀଙ୍କ ମନ୍ଦିରରେ ଥିବା ଚୁଲିରେ ପାଣିହାଣ୍ଡି ଭିତରେ ରଖି ବାମ୍ଫରେ ସିଝାଇ ବାହାର କରାଯାଏ। ପରେ ଏହାକୁ ଖଣ୍ଡଖଣ୍ଡ କରି କାଟି ଶୁଦ୍ଧ ଘିଅରେ ଛଣାଯାଏ। ଏହାକୁ ମାଟି ହାଣ୍ଡିରେ ରଖାଯାଏ। ବାହୁଡ଼ା ଦିନ ତିନି ରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକିବା ବେଳେ ଏହି ପିଠା ସମର୍ପଣ କରାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ନିୟୋଜିତ ପୂଜାପଣ୍ଡା ସାମନ୍ତ ଆସି ଏହି ନବେଦ୍ୟକୁ ମହାପ୍ରଭୁଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ସର୍ପମଣୋହୀ ଭୋଗ କରାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।