/odisha-reporter/media/post_attachments/uploadimage/library/16_9/16_9_0/Puri_1720958258.jpg)
Puri
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ। ତେଣୁ ଭିତର ରତ୍ନଭଣ୍ଡାର ୩ଟି ତାଲା ଭଙ୍ଗା ଯାଇଛି। ତା’ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରିଛନ୍ତି। ସବୁ ଅଳଙ୍କାର ଆଲ୍ମିରା ଓ ସିନ୍ଦୁକରେ ଥିବା ବାହାରୁ ଦେଖିଲେ। ହେଲେ କୌଣସି ଆଲ୍ମିରା ଓ ସିନ୍ଦୁକ ଖୋଲାଯାଇ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରଥମେ ବାହାର ରତ୍ନଭଣ୍ଡାର ତାଲାଖୋଲା ଯାଇଥିଲା। ସେଠାରେ ଥିବା ସବୁ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିଲା। ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସିଲ୍ କରାଯାଇଥିଲା। ତା’ପରେ ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାର ପାଖକୁ ଯାଇଥିଲେ। ଟ୍ରେଜେରୀରୁ ଆସିଥିବା ୩ ଚାବିରେ ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ ତାଲା ଖୋଲିବାକୁ ଉଦ୍ୟମ କରିଥିଲେ। ହେଲେ ସମ୍ଭବପର ହୋଇନଥିଲା। ତେଣୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୩ ତାଲା ଭାଙ୍ଗା ଯାଇଥିଲା। ତା’ପରେ ପୂରା କମିଟି ଭିତର ରତ୍ନଭଣ୍ଡାରକୁ ଯାଇଥିଲେ। ଭିତର ଭଣ୍ଡାରରେ ଯାହାସବୁ ଗଚ୍ଛିତ ରହିଛି, ତାହା ସିନ୍ଦୁକ ଓ ଆଲ୍ମିରାରେ ରହିଛି। କିନ୍ତୁ କୌଣସି ଅଳଙ୍କାର ଆମେ ଦେଖିନାହୁଁ। ଭିତର ରତ୍ନଭଣ୍ଡାର ଖୋଲାଲା ବେଳକୁ ବହୁ ସମୟ ହୋଇଯାଇଥିଲା। ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି।
ସେ ଆହୁରି କହିଛନ୍ତି, ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ରତ୍ନଭଣ୍ଡାରକୁ ଏଏସ୍ଆଇକୁ ହସ୍ତାନ୍ତର କରାଯିବ। ଏଏସ୍ଆଇ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣା କରିସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଥିବା ଅଳଙ୍କାରକୁ ପୁଣି ଥରେ ରତ୍ନଭଣ୍ଡାରକୁ ନିଆଯିବ। ସେହି ସମୟରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ଡକ୍ଟର ପାଢ଼ୀ କହିଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ ଭିତର ରତ୍ନଭଣ୍ଡାରରେ ବିରାଟ ବିରାଟ ଗାତ ରହିଛି। ମୂଷାମାନେ ଏଭଳି ବଡ଼ ବଡ଼ ଗାତ କରି ଦେଇଥିବା ସନ୍ଦେହ କରାଯାଉଛି। ମୂଷାମାନଙ୍କ ଦ୍ୱାରା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ହୋଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
