ପାର୍ବଣରେ ନିଆରା ପରମ୍ପରା। କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ତଥା ରାଜ୍ୟର ଅଷ୍ଟ ଶକ୍ତି ପୀଠ ମାଧ୍ୟରୁ ଅନ୍ୟତମ ମାଆ ରାମଚଣ୍ଡୀଙ୍କ ପୀଠରେ ମାଆଙ୍କୁ ସନ୍ତୁଷ୍ଟି ପାଇଁ ପୋଡା ମାଛ ବଳି ସାଙ୍ଗକୁ ଚାଲିଛି ଦୁଇ ବେଳା ଚଣ୍ଡିପାଠ। ମଙ୍ଗଳବାର ମାଆ ବନ ଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ମାଆ ବଗଳା ମୁଖୀ ବେଶରେ ଦର୍ଶନ ଦେଇଛନ୍ତି।
ମାଆ ଏଠାରେ ଦଶଭୁଜା ମହିଷ ମର୍ଦ୍ଦିନୀ ଦୁର୍ଗା ବେଶରେ ବନ ଦୁର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି। ଆଶ୍ୱିନ ମାସରେ ମୂଳାଷ୍ଠମୀଠାରୁ ମହାଷ୍ଠମୀ ପର୍ଯ୍ୟନ୍ତ ମାଆଙ୍କଠାରେ ବିଶେଷ ପୂଜାନୀତି ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଠମୀର ପ୍ରତ୍ୟୁଷରୁ ୧୦୮ କୁମ୍ଭାଭିଷେକ କରାଯିବା ପରେ କୁମ୍ଭ ବସାଇ ଅଖଣ୍ଡ ଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଥାଏ। ଦୈନନ୍ଦିନ ସ୍ନାନ, ସକାଳ ଆଳତୀ, ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ଖଇ ଭୋଗ, ଖେଚୁଡି ଭୋଗ ପରେ ସାହାଣମେଲା, ଦୁଇ ବେଳା ଚଣ୍ଡୀ ପାଠ, ଦ୍ଵିପ୍ରହର ଭୋଗ, ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତୀ, ପୁନଃ ଚଣ୍ଡୀ ପାଠ, ରାତ୍ରି ଭୋଗ, ବଡ ସିଂହାର ବେଶ ପରେ ପହଡ ପଡିଥାଏ । ଚଳିତବର୍ଷ ମୂଳାଷ୍ଟମୀଠାରୁ ପାର୍ବଣ ଆରମ୍ଭ ହୋଇଛି। ପାର୍ବଣରେ ଆନନ୍ନ ଉଲ୍ଲାସ ମଧ୍ୟରେ ଭକ୍ତମାନେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ମାଆଙ୍କ ଦର୍ଶନ ଲାଭ କରୁଛନ୍ତି।
ପବିତ୍ର କୁଶଭଦ୍ରା ନଦୀର ମୁହାଣ ସନ୍ନିକଟରେ ଅବସ୍ଥିତ ମାଆ ରାମଚଣ୍ଡୀଙ୍କ ପୀଠ। ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୌରାଣୀକ ତଥ୍ୟ ଅନୁସାରେ କୋଣାର୍କ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ଅଷ୍ଠଚଣ୍ଡୀଙ୍କୁ ପ୍ରତିଷ୍ଠା କରାଯାଇଥିଲା। ସେମାନଙ୍କ ମଧ୍ୟରେ ମାଆ ରାମଚଣ୍ଡୀ ଅନ୍ୟତମ। କୁହାଯାଏ କଳାପାହାଡ କୋଣାର୍କ ମନ୍ଦିର ଆକ୍ରମଣ ବେଳେ ମାଆ ରାମଚଣ୍ଡୀ ମାଲୁଣୀ ବେଶରେ ମନ୍ଦିରରୁ ପାଣି ଆଣିବା ପାଇଁ କୁଶଭଦ୍ରା ନଦୀକୁ ଯାଇ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ତା’ପରେ ପଣ୍ଡାମାନେ ସ୍ଵପ୍ନାଦେଶ ପାଇ କୁଶଭଦ୍ରା ନଦୀ କୂଳରେ ମାଆଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି।
ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଆଙ୍କ ପୂଜାର୍ଚ୍ଚନା କରି ଚଣ୍ଡୀ କରିଥିଲେ। ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମାଆ ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି। ପାର୍ବଣରେ ଅନ୍ୟ ଶକ୍ତି ପୀଠରେ ବେଳାଏ ଚଣ୍ଡି ପାଠ ହେଉ ଥିବା ବେଳେ ମାଆ ରାମଚଣ୍ଡୀଙ୍କ ନିକଟରେ ଦୁଇ ବେଳା ଚଣ୍ଡି ପାଠ ହେଉଛି।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି