Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ଶୁଭ ସମୟ

୧୭ ତାରିଖ ସକାଳ ୮ଟା ପରେ ପରିକ୍ରମା ମାର୍ଗରେ ନିର୍ମାଣ ହୋଇଥିବା ଛୋଟ ଛୋଟ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

author-image
Manoranjan Sial
Puri

Puri

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ସମୟ। ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ଭିତରେ ପ୍ରକଳ୍ପ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଉଦ୍‌ଘାଟନ କରିବେ। ୩ଟା ପରେ ଶ୍ରଦ୍ଧାଳୁମାନେ ପରିକ୍ରମା ମାର୍ଗ ଭ୍ରମଣ କରିପାରିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

Advertisment

ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଆସନ୍ତା କାଲି(ଶୁକ୍ରବାର)ଠାରୁ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଗୁଆ ଟେକା, ଅଙ୍କୁର ରୋପଣ କାର୍ଯ୍ୟ ହେବ। ୧୩ ତାରିଖରେ ଅଙ୍କୁର ପୂଜନ ହେବ। ୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାଶ, ଧ୍ୱଜା ସ୍ଥାପନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୫ ତାରିଖଠାରୁ ଯଜ୍ଞ ଆରମ୍ଭ ହେବ। ସେଦିନ ସକାଳ ସାଢ଼େ ୭ଟାରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚ କର୍ମ, ବ୍ରାହ୍ମଣ ବରଣ ଓ ଯଜ୍ଞକାର୍ଯ୍ୟ ହେବ। ୧୬ ତରିଖରେ ମଧ୍ୟ ଦିନସାରା ଯଜ୍ଞ ଚାଲିବ। ୧୭ ତାରିଖ ଅପରାହ୍ନ ୧ଟା ୧୫ ମିନିଟ୍‌ରୁ ସାଢ଼େ ୧ଟା ଭିତରେ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଲୋକାର୍ପଣ କରିବେ। ସେହି ସମୟରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ଓ ଯଜ୍ଞ ପୂର୍ଣ୍ଣାହୂତି ଦେବେ। ୨ରୁ ସାଢ଼େ ୨ଟା ଭିତରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ପରିକ୍ରମା ମାର୍ଗ ପରିଦର୍ଶନ କରିବେ। ସାଢ଼େ ୨ଟାରୁ ୩ଟା ଭିତରେ ଉତ୍ତର ପାର୍ଶ୍ୱ ମଠ ପାଖରେ ପ୍ରତିଷ୍ଠା ହୋଇଥିବା ଗୃହରେ ଧନ୍ୟବାଦ ସଭା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବେ। ଅପରାହ୍ନ ୩ଟା ପରେ ସାଧାରଣ ଲୋକ ପରିକ୍ରମା ମାର୍ଗ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସେ କହିଛନ୍ତି, ୧୭ ତାରିଖ ସକାଳ ୮ଟା ପରେ ପରିକ୍ରମା ମାର୍ଗରେ ନିର୍ମାଣ ହୋଇଥିବା ଛୋଟ ଛୋଟ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଯେଉଁଥିରେ ରହିଛି ଓଡ଼ିଶୀ ନୃତ୍ୟ, ବ୍ରହ୍ମପୁର ପଶୁ ନୃତ୍ୟ, ସମ୍ୱଲପୁର ସମ୍ୱଲପୁରୀ(ଡାଲଖାଇ), ପାଇକ, ବନାଟି, ପୁରୀର ସାହିଜାତ ନୃତ୍ୟ, ମାହାରୀ ନୃତ୍ୟ ପ୍ରମୁଖ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରାଯିବ। ଲୋକମାନେ ଉପଭୋଗ କରିପାରିବେ।

Advertisment

ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀ ଦାସ କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଯାହା ଛୋଟମୋଟ କାମ ରହିଛି, ଆଜି ରାତି ସୁଦ୍ଧା ସରିଯିବ। ଶୁକ୍ରବାର ସକାଳ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ହସ୍ତାନ୍ତର କରିବେ। ତା’ପରେ ଲୋକାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। କଟକ ଭୁବନେଶ୍ୱରରୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବହ୍ଲଭ ପାର୍କିଂରେ ପହଞ୍ଚିବେ। ସେଠାରେ ସେମାନେ ଗାଡ଼ି ପାର୍କିଂ କରିବେ। ତା’ପରେ ସେଠାରେ ଆୟୋଜିତ ହୋଇଥିବା ମହାପ୍ରଭୁଙ୍କ ରୀତିନୀତି ଓ ମହିମା ଉପରେ ଆଧାରିତ ପ୍ରଦର୍ଶନୀକୁ ଦେଖିବାକୁ ପାଇବେ ବୋଲି ଶ୍ରୀ ଦାସ କହିଛନ୍ତି।

Puri Shreemandir Puri Sri Jagannath