ମାଗିଯାଚି ଗଢ଼ିଛନ୍ତି ସ୍କୁଲ; ମାଗଣାରେ ବସ୍ତି ପିଲାଙ୍କୁ ବାଣ୍ଟୁଛନ୍ତି ଜ୍ଞାନ

ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ସହିତ ମ୍ୟୁଜିକ୍‌, ଯୋଗ, ସାମାଜିକ ଜ୍ଞାନ ଓ ବେଦ ପାଠ ଶିଖାଉଛନ୍ତି। ଯେଉଁଥିପାଇଁ ପିଲାମାନେ ଅନର୍ଗଳ ଭାବେ ଶ୍ଳୋକ ଗାନ କରି ପାରୁଛନ୍ତି।

ବସ୍ତି ପିଲାଙ୍କୁ ପାଠ ପଢ଼ାଉଛନ୍ତି ସାଇ ସାର୍‌

  • Published: Tuesday, 05 September 2023
  • , Updated: 05 September 2023, 08:37 AM IST

ଅଟୋ ମୋବାଇଲ୍‌ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ବଡ଼ ଚାକିରି କରିବାକୁ ଆଶା ରଖିଥିଲେ। ହେଲେ ବସ୍ତିରେ ବୁଲିଲା ବେଳେ ହଠାତ୍‌ ବଦଳିଗଲା ସାଇ ପ୍ରସାଦ ମହାନ୍ତିଙ୍କ ଜୀବନର ଗତି ପଥ। ଚାକିରି ପଛରେ ନଗୋଡ଼ାଇ ମାଗିଯାଚି ତିଆରିକଲେ ସ୍କୁଲ୍‌। ଆଉ ସେଠି ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ସହିତ ମ୍ୟୁଜିକ୍‌, ଯୋଗ, ସାମାଜିକ ଜ୍ଞାନ ଓ ବେଦ ପାଠ ଶିଖାଉଛନ୍ତି। ଯେଉଁଥିପାଇଁ ପିଲାମାନେ ଅନର୍ଗଳ ଭାବେ ଶ୍ଳୋକ ଗାନ କରି ପାରୁଛନ୍ତି। ଗୁରୁଦିବସରେ ସାଇ ସାରଙ୍କୁ ଅନେକ ଅନେକ ଶୁଭେଚ୍ଛା।

ବାରିପଦାର ସାଇ ପ୍ରକାଶ ମହାନ୍ତି। ଅଟୋ ମୋବାଇଲ୍‌ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି। ପାଠ ପଢ଼ା ଶେଷ ହେବା ପରେ ଚାକିରି ଖୋଜୁଥିଲେ ସାଇ ପ୍ରକାଶ ମହାନ୍ତି। ସେହି ସମୟରେ ତାଙ୍କ ନଜର ବସ୍ତି ଅଞ୍ଚଳର ପିଲାଙ୍କ ଉପରେ ପଡ଼ିଲା। ଗରିବୀ ତାଡନା ଭିତରେ ଜର୍ଜରିତ ହେଉଥିବା ପିଲାଙ୍କ ଭିତରେ ଭରି ରହିଥିବା ଜ୍ଞାନକୁ ସେ ପାଖରୁ ଦେଖିବାକୁ ପାଇଥିଲେ। ହେଲେ ସଚେତନତା ଅଭାବ ହେଉ ବା ପାରିବାରିକ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି। ସେହି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ମନସ୍ତ କରିଥିଲେ ସାଇ।

ପିଣ୍ଡାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସାର୍‌

ସାଇ ପ୍ରଥମେ ବସ୍ତିକୁ ଗଲେ। କେତେବେଳେ ଗଛ ମୂଳରେ ତ ଆଉ କେତେବେଳେ କାହା ପିଣ୍ଡାରେ ବସି ପିଲାମାନଙ୍କୁ ପାଠ ପଢ଼ାଇଲେ। ସେ ଖାଲି ପିଲାଙ୍କୁ ପାଠ ପଢ଼ାଉନଥିଲେ, ଅଶିକ୍ଷିତ ବୃଦ୍ଧ ଓ ବୃଦ୍ଧାଙ୍କ ଭିତରେ ଶିକ୍ଷାର ଦୀପ ଜାଳିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ପାଠ ପଢ଼ାଇଥିଲେ। ଯେଉଁଥିପାଇଁ ବୃଦ୍ଧ ଓ ବୃଦ୍ଧାମାନେ ଏବେ ବହି ପଢ଼ି ପାରୁଛନ୍ତି ଓ ଦସ୍ତଖତ କରିପାରୁଛନ୍ତି। ତା’ରେ ସାଇ ପ୍ରକାଶ ମହାନ୍ତି ହୋଇଗଲେ ସାଇ ସାର୍‌।

ବସ୍ତିର ଛୋଟ ପିଲା ଓ ବୃଦ୍ଧାଙ୍କୁ ପାଠ ପଢ଼ାଉଛନ୍ତି

ସାଇ ସାର୍‌ଙ୍କ ଏପରି ଉଦ୍ୟମକୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ। ଏହା ପରେ ତାଙ୍କୁ ବହୁ ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇ ଥିଲେ। ଆଉ ତା’ପରେ ସାଇ ସାର୍‌ ପିଲାଙ୍କ ପାଠ ପଢ଼ା ପାଇଁ ଗଢ଼ିଥିଲେ ସ୍କୁଲ। ନାଁ ରଖିଛନ୍ତି ଅଭିରାମ ପରମହଂସ ବେଦ ବେଦାନ୍ତ ସ୍କୁଲ। ସରକାରୀ ସ୍କୁଲ ପରି ଘରର କାନ୍ଥକୁ ରଙ୍ଗୀନ ଛବିରେ ସଜାଇ ଦେଇଛନ୍ତି। କାନ୍ଥରେ ମହାନ ଜନ ନାୟକ, ସ୍ୱାଧୀତନା ସଂଗ୍ରାମୀ, ଓଡ଼ିଆ ବର୍ଣ୍ଣମାଳା ଓ ଜୀବଯନ୍ତୁଙ୍କ ଚିତ୍ର କରିଛନ୍ତି। ସାଇ ସାର୍‌ ସେହି ଘରୁ ଆରମ୍ଭ କରିଥିଲେ ଶିକ୍ଷାଦାନ। ବର୍ତ୍ତମାନ ସେହି ସ୍କୁଲରେ ୪୦ରୁ ଊର୍ଦ୍ଧ୍ୱ ଶିଶୁ ମାଗଣାରେ ପାଠ ପଢ଼ୁଛନ୍ତି। ସାଇ ସାର୍‌ ପିଲାଙ୍କୁ ପାଠ ପଢ଼ାଇବା ସହିତ ମ୍ୟୁଜିକ୍‌, ଯୋଗ, ସାମାଜିକ ଜ୍ଞାନ ଓ ବେଦ ପାଠ ଶିଖାଉଛନ୍ତି। ସ୍କୁଲରେ ପଢ଼ୁଥିବା ପିଲାମାନେ ପ୍ରଞ୍ଜଳ ଭାବେ ଶ୍ଳୋକ ଆବୃତ୍ତି କରିପାରୁଛନ୍ତି। ସ୍ୱଳ୍ପ ବୟସ ଭିତରେ ଶତାଧିକ ପିଲାଙ୍କ ଭିତରେ ଶିକ୍ଷା ଦୀପ ଜାଳି ପାରିଛନ୍ତି।

ପିଲାମାନଙ୍କୁ ମ୍ୟୁଜିକ୍‌ ଶିକ୍ଷା ଦିଆଯାଉଛି

ଏହି ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ଓ ରାଜ୍ୟସ୍ତରୀୟରେ ଅନୁଷ୍ଠିତ ଅନେକ ପ୍ରତିଯୋଗିତାରେ ଭାଗ ନେଇ ବହୁବାର ପୁରସ୍କୃତ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସାଇ ସାରଙ୍କୁ ଶିଶୁମାନେ ବାପା ବୋଲି ସମ୍ବୋଧନ କରିଥାଆନ୍ତି। ପ୍ରକୃତରେ ସାରଙ୍କ ବୟସ ସିନା ୩୪, ହେଲେ ଆଜି ଶତାଧିକ ଶିଶୁଙ୍କ ବାପାର ଦାୟିତ୍ୱ ନେଇଛନ୍ତି।

କଣ୍ଠଶିଳ୍ପୀ କଳ୍ପନା ମହାନ୍ତି କହିଛନ୍ତି, ଏଠାରେ ପଢ଼ୁଥିବା ପିଲାଙ୍କ ଭିତରୁ କାହର ବାପା ନାହିଁ ତ କାହାର ମାଆ ନାହାନ୍ତି। ଆଉ କାହାର ବାପା ଓ ମାଆ କେହି ନାହାନ୍ତି। ତେଣୁ ଏଠାରୁ ଭଲ ପାଇବା, ସ୍ନେହ ପାଇଥିବାରୁ ବାପା ବୋଲି ସମ୍ୱୋଧନ କରୁଛନ୍ତି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାଣିକଲାଲ୍‌ ପାଣି

Related story