Advertisment

World Infant Protection Day; ଉତ୍ତମ ସ୍ୱାସ୍ଥ୍ୟ ସବୁ ଶିଶୁଙ୍କ ଅଧିକାର

ଶିଶୁଙ୍କ ପୋଷଣ ତଥା ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ ନଭେମ୍ବର ୭ ତାରିଖରେ Infant Protection Day ପାଳନ କରାଯାଉଛି।

author-image
Niharika Rout
ଅଦ୍ୟତନ ହୋଇଛି
New Born Baby

New Born Baby

ଆଜିର ନବଜାତ ଆସନ୍ତାକାଲିର ଭବିଷ୍ୟତ। ଛୋଟ ଛୁଆ ସବୁଠୁ ମୂଲ୍ୟବାନ ସମ୍ପତ୍ତି ହୋଇଥିବା ବେଳେ ଭବିଷ୍ୟତ ପାଇଁ ବି ସେମାନେ ଆଶାର କିରଣ ପାଲଟିଥାନ୍ତି। ତେଣୁ ସେମାନଙ୍କ ଆଜିକୁ ସୁରକ୍ଷିତ ରଖି ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ଆମର ପ୍ରଥମ ଦାୟିତ୍ୱ। ଏଥିନିମନ୍ତେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ ନଭେମ୍ବର ୭ ତାରିଖକୁ Infant Protection Day ଭାବେ ପାଳନ କରାଯାଉଛି।

Advertisment

ଜନ୍ମ ହେବାର ପ୍ରଥମ ୩ ମାସ ଶିଶୁଙ୍କ ପାଇଁ ଖୁବ୍‌ ବିପଦପୂର୍ଣ୍ଣ। ଏହି ସମୟରେ ସେମାନଙ୍କ ଶୁଣିବା, କହିବା ଓ ଦେଖିବା କ୍ଷମତାରେ ବୃଦ୍ଧି ହୋଇଥାଏ। ଏହି ସମୟରେ ପିଲାଟି ନିଜ ବାପାମା’ଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ି ହୋଇଥାଏ। ତେଣୁ ଏହି ସମୟରେ ସେମାନଙ୍କୁ ସବୁ ପ୍ରକାର ଇନଫେକ୍ସନରୁ ରକ୍ଷା କରିବା ଆମମାନଙ୍କ ପ୍ରଥମ କର୍ତ୍ତବ୍ୟ।

ଏହି ସମୟରେ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ପାଇଁ ସେମାନଙ୍କୁ ମା’ କ୍ଷୀର ଦେବା ସହ ଭଲ ପରିବେଶରେ ସେମାନଙ୍କ ଲାଳନପାଳନ କରିବା ଉଚିତ। ୧୯୯୦ ମସିହାରେ ସଚେତନତା ଅଭାବରୁ ପ୍ରାୟ ୫ ଲକ୍ଷ ଶିଶୁଙ୍କ ଜୀବନ ଚାଲି ଯାଇଥିଲା।

Advertisment

Infant Protection Day ପାଳନର ତାତ୍ପର୍ଯ୍ୟ

ଏହାପରେ ନବଜାତ ମୃତ୍ୟୁ ହାର (IMR)କୁ କମାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବହୁ ରାଷ୍ଟ୍ର ସମ୍ମତି ପ୍ରକାଶ କଲେ। ଶିଶୁଙ୍କ ପ୍ରତି ଯତ୍ନବାନ ହେବା ସହ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ ନିମନ୍ତେ ୟୁରୋପରେ ପ୍ରଥମ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏହାପରେ ସର୍ବସମ୍ମତି କ୍ରମେ ପ୍ରତି ବର୍ଷ ନଭେମ୍ବର ୭ ତାରିଖକୁ Infant Protection Day ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା। ଏହି ଦିବସ ପାଳନ ପରେ ଆଶ୍ଚର୍ଯ୍ୟଜନକ ଭାବେ ଶିଶୁ ମୃତ୍ୟୁ ହାର ତଳ ମୁହାଁ ହେବାକୁ ଲାଗିଲା।

WHO ଗାଇଡଲାଇନ୍‌

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ଗାଇଡଲାଇନ୍‌ରେ କୁହାଯାଇଛି, ୨୦୧୯ ମସିହାରେ ସମଗ୍ର ବିଶ୍ୱରେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କର ଜନ୍ମର ପ୍ରଥମ ମାସରେ ହିଁ ମୃତ୍ୟୁ ହୋଇଥିଲା। ଏହାକୁ ବାଦ ଦେଲେ ପ୍ରତିଦିନ ୭ ହଜାରରୁ ଅଧିକ ଜୀବନ ଚାଲି ଯାଇଥିବା ବେଳେ ୫ ବର୍ଷରୁ କମ୍‌ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା ୪୭%ରେ ପହଞ୍ଚି ଯାଇଥିଲା।

ଭଲ ସ୍ୱାସ୍ଥ୍ୟ ସାଙ୍ଗକୁ ସୁରକ୍ଷା ପାଇବା ପ୍ରତି ଶିଶୁଙ୍କ ହକ୍‌। ତେଣୁ ଶିଶୁଙ୍କ ପୋଷଣ ତଥା ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରତି ବର୍ଷ Infant Protection Day ପାଳନ କରାଯାଉଛି।

ଭାରତର ସ୍ଥିତି

ଭାରତରେ ଶିଶୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ଉଦବେଗଜନକ ରହୁଛି। ଆଇଏମ୍‌ଆର ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୫ ମସିହାରେ ହଜାରେ ଶିଶୁଙ୍କ ମଧ୍ୟରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ଭାରତରେ ସମୁଦାୟ  ୭,୨୧,୦୦୦ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଯାହାକି ପ୍ରତିଦିନ ହାରାହାରି ୧,୯୭୫ରେ ପହଞ୍ଚିଥିଲା। ଆବଶ୍ୟକ ସ୍ୱାସ୍ଥ୍ୟ ସେବା ନ ଥିବା ବେଳେ ବର୍ଦ୍ଧିତ ଜନସଂଖ୍ୟାର ବୋଝର କାରଣ ଶିଶୁ ମୃତ୍ୟୁ ହାର ନ କମିବାର ପ୍ରମୁଖ କାରଣ ବୋଲି ଜଣାଯାଇଛି।

୨୦୧୯ ମସିହାରେ ଏହା କ୍ରମଶଃ କମି ହଜାରେ ଶିଶୁଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଥିଲା। ଏହା କ୍ରମଶଃ କମିବାରେ ଲାଗିଛି। ଭବିଷ୍ୟତରେ ଏହି ମୃତ୍ୟୁ ହାରକୁ ସର୍ବନିମ୍ନ ସ୍ତରକୁ ଆଣିବାକୁ ସରକାରଙ୍କୁ ଠୋସ୍‌ ପଦକ୍ଷେପ ଉଠାଇବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଉଛି।

New Born Baby