Advertisment

ଭୋର ୪ ଟା ୩୪ ମିନିଟ୍‌ରେ ପବିତ୍ର ଚନ୍ଦ୍ରଭାଗା ବୁଡ, ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ

ପ୍ରତିବର୍ଷ ପରି ଚଳିତବର୍ଷ ବୁଡକୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ କରାଯାଇଥିବା ବେଳେ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ପକା ଯାଇଛି।

Konark

Konark

Advertisment

ଆଜି ଷଷ୍ଠୀ ଆସନ୍ତା। ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ଭୋର ୪ଟା ୩୪ ମିନିଟ୍‌ରେ ପ୍ରସିଦ୍ଧ ପବିତ୍ର ଚନ୍ଦ୍ରଭାଗା ବୁଡ। ଶୃଙ୍ଖଳିତ ବୁଡ଼ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାରିଜଣ ଆଡିସିନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ପାଇବ ବ୍ୟାପକ ଆୟୋଜନ କରାଯାଇଛି। ଆଜି ପବିତ୍ର ଷଷ୍ଠୀ। ସନ୍ଧ୍ୟା ସାଢ଼େ ୮ଟାରୁ ରାତି ୧୦ଟା ୪୦ ମିନିଟ୍‌ ଭିତରେ ମାଧିପୁର ଗାଁର ତ୍ରିବେଣୀଶ୍ଵର, ସନ୍ତପୁର ଗ୍ରାମର ଐଶାନେଶ୍ୱର ଓ କୁରୁଜଙ୍ଗ ଗାଁର ଦଖିଣେଶ୍ୱର ମହାପ୍ରଭୁ ବିମାନ ବିଜେ କରିବେ। ତିନି ଠାକୁର ପାରମ୍ପାରିକ ଶୋଭାଯାତ୍ରାରେ ଏନଏସି ମଣ୍ଡପରେ ଏକତ୍ର ହେବେ। ସେଠାରେ ଭୋଗ ଲାଗି କରାଯିବ। ରାତି ସାଢ଼େ ୩ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବା ପରେ ଆସନ୍ତାକାଲି ଭୋର ୪ଟା ୩୪ ମିନିଟରେ ଶ୍ରଦ୍ଧାଳୁମାନଙ୍କୁ ବୁଡ ପକାଇବାକୁ ଅନୁମତି ଦିଆଯିବ।

ପ୍ରତିବର୍ଷ ପରି ଚଳିତବର୍ଷ ବୁଡକୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ କରାଯାଇଥିବା ବେଳେ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ପକା ଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନରେ ବାରିକେଟ ନିର୍ମାଣ, ଚନ୍ଦ୍ରଭାଗା ମେଳା ପଡିଆରେ ପାନୀୟ ଜଳ ଯୋଗାଣ, ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି। ନିରବଚ୍ଛନ୍ନ ଭାବେ ବିଦ୍ୟୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ତା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କରେ ୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଥିବା ବେଳେ ୨ଟି ଆମ୍ବୁଲାନ୍ସ ରଖାଯାଇଛି। ଚଳିତବର୍ଷ ଶୃଙ୍ଖଳିତ ବୁଡ ପାଇଁ ୫ଜଣ ଅଡିସିନାଲ ଏସ୍‌ପିଙ୍କ ସହ ୧୨ଜଣ ଡିଏସ୍‌ପି, ୩୯ ଜଣ ଇନ୍ସପେକ୍ଟର, ୧୨୨ ଜଣ ଏଏସ୍‌ଆଇ ଓ ଏସ୍‌ଆଇଙ୍କୁ ନିୟୋଜିତ କରାଯାଇଛି।

Advertisment

ପୈରାଣୀକ ମତାନୁସାରେ ଏହି ପବିତ୍ର ଦିନଟି ହେଉଛି ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ସେହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି। ଚଳିତ ବର୍ଷ ସଂପୂର୍ଣ୍ଣ ଭାବେ କୋଭିଡ଼ କଟକଣା ମୁକ୍ତ ଏହି ବୁଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଅଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ କୋଣାର୍କରେ ପହଞ୍ଚିବା ଆରମ୍ଭ କରିଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri Konark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe